୫୮ ହଜାର ପାର୍‌କଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,ଏଜେନ୍ସି: ବୈଶ୍ୱିକସ୍ତରରେ ଠାବ କରାଯାଇଥିବା କରୋନା ଭାଇରସ୍‌ର ନୂତନ ପ୍ରଜାତିର ପ୍ରାରମ୍ଭିକ ପ୍ରଭାବ ସତ୍ତ୍ୱେ ପରବର୍ତ୍ତୀ ସମୟରେ ଭାରତୀୟ ବଜାର ଏହାର ପ୍ରଭାବରୁ ମୁକୁଳିଆସିଛି। କ୍ରମାଗତ ଭାବେ ଦୁଇଦିନ ଧରି ଭାରତୀୟ ବଜାରରରେ ପୂର୍ବର ଚମକ୍ ଫେରିପାରିଛି। ଗତକାଲିର ବୃଦ୍ଧି ପରେ ଆଜି ଭାରତୀୟ ବଜାର ୭୭୬ ପଏଣ୍ଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଜି ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜ୍ କାରବାର ଶେଷ ବେଳକୁ ୭୭୬.୫୦ ପଏଣ୍ଟ୍ ବୃଦ୍ଧି ଘଟି ୫୮,୪୬୧.୨୯ ପଏଣ୍ଟ୍‌ରେ ବନ୍ଦ ରହିଛି।

ଅପରପକ୍ଷରେ ନିଫ୍ଟି ମଧ୍ୟ କାରବାର ଶେଷ ବେଳକୁ ୨୩୪.୭୫ ପଏଣ୍ଟ୍ ବୃଦ୍ଧି ଘଟି ୧୭,୪୦୧.୬୫ ପଏଣ୍ଟ୍‌ରେ ବନ୍ଦ ରହିଥିଲା। ଆଜି କାରବାର ଆରମ୍ଭରୁ ସେନ୍‌ସେକ୍ସ ୯୭ ପଏଣ୍ଟ୍ ବୃଦ୍ଧିର ସହିତ ଖୋଲିଥିଲା। ୩୦ ଶେୟାର୍ସର ସେନ୍‌ସେକ୍ସରେ ଆଜି ମାତ୍ର ୨ଟି ଶେୟାର୍ସରେ ହ୍ରାସ ଦେଖିବାକୁ ମିଳିଥିଲା। ସେନସେକ୍ସରେ ସାମିଲ୍ ହୋଇଥିବା କମ୍ପାନୀମାନଙ୍କ ମୋଟ ବଜାର ପୁଞ୍ଜିକରଣ ୨୬୨.୫୦ ଲକ୍ଷ କୋଟି ପାର କରିଥିଲା। ସୂଚନାଯୋଗ୍ୟ ଯେ ଗତକାଲି ଭାରତୀୟ ବଜାର ୬୨୦ ପଏଣ୍ଟ୍ ବୃଦ୍ଧି ଘଟିଥିଲା।