ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୁଲିସ। ୨ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଜଣ ଗିରଫ ହୋଇଛନ୍ତି। ଏହାସହିତ ୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ଠାରୁ ବେସବଲ ବ୍ୟାଟ, ଖଣ୍ଡା ଓ ଭୂଜାଲି ଜବତ କରାଯାଇଛି।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମଞ୍ଚେଶ୍ୱର ମୁଣ୍ଡା ସାହିରେ ୨୦ରୁ ୩୦ ମିନିଟ୍ ଧରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏଥିରେ ୪୦ରୁ ୫୦ ଜଣ ଯୁବକ ମିଶି ସାହି ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ଘର ସହ ଗାଡି ମଧ୍ୟ ଭାଙ୍ଗିଥିଲେ। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୫ରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ବାସିନ୍ଦା ପଳାଶୁଣୀ ଛକରେ ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।