ନୂଆଦିଲ୍ଲୀ: ଜିଏସଟି ସଂଗ୍ରହ ପ୍ରସଙ୍ଗରେ ନବବର୍ଷ କେନ୍ଦ୍ର ସରକାରଙ୍କ ପାଇଁ ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି। କାରଣ କ୍ରମାଗତ ଦ୍ୱିତୀୟ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଛି ବୋଲି ସରକାରୀସ୍ତରରେ ଜାରି ହୋଇଥିବା ବିବୃତିରୁ ଏ ସମ୍ବନ୍ଧରେ ଜଣାପଡ଼ିଛି। ନଭେମ୍ବରରେ ମୋଟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ସଂଗ୍ରହ କରାଯାଇଥିବାବେଳେ ଡିସେମ୍ବରରେ ୧,୦୩,୧୮୪ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଏପ୍ରିଲ୍- ଡିସେମ୍ବରର ତଥ୍ୟ ମୁତାବକ ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର ଆଦି ତିନିମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାରୁ କମ୍ ରହିଥିବାବେଳେ ଏପ୍ରିଲ୍ରେ ସର୍ବାଧିକ ୧,୧୩,୮୬୫ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲା।
ପ୍ରକାଶଯୋଗ୍ୟ, ୨୦୧୯ ଜୁଲାଇରେ ଜିଏସଟି ଲାଗୁ କରାଯିବା ପରେ ଏହା ନବମ ମାସ, ଯେଉଁ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟକୁ ପାର୍ କରିଛି। ଜିଏସଟି ସଂଗ୍ରହ ସହିତ ୨୦୧୯-୨୦ ପାଇଁ ୧୩.୩୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ହାସଲ କରିବାକୁ ହେବ ବୋଲି ଟିକସ ଅଧିକାରୀଙ୍କୁ କୁହାଯାଇଥିଲା। ୨୦୧୯-୨୦ରେ ସରକାର ପ୍ରତ୍ୟକ୍ଷ ଟିକସରୁ ୧୩.୩୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ରାଜସ୍ୱ ବିଭାଗ ଆଗାମୀ ୪ ମାସ ମଧ୍ୟରେ ଟିକସ ସଂଗ୍ରହକୁ ଆହୁରି ଅଧିକ ବଢ଼ାଇବା ଲାଗି ପ୍ରମୁଖ ପଦକ୍ଷେପ ନେବେ। ସିବିଆଇସି, ସିବିଡିଟିର ସଦସ୍ୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଲକ୍ଷ୍ୟ ହାସଲ କରିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।