ମାଲକାନଗିରିର ୩ ପର୍ଯ୍ୟଟନସ୍ଥଳିରେ ନ୍ୟୁ ଇୟର ସେଲିବ୍ରେସନ: ‘ଗୁରୁପ୍ରିୟା’ ଦୃଶ୍ୟର ମଜାନେଲେ ପର୍ଯ୍ୟଟକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ୩ ଟି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିରେ ୧୦ ହଜାରରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ବଣଭୋଜି ଏବଂ ନୌ-ବିହାରର ମଜା ଉଠାଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଜଦୁଗୁଡ଼ା ନିକଟସ୍ଥ ଜଉପାହାଡ଼ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିରେ ନୁଆ ବର୍ଷ ଉପଲକ୍ଷେ ମାଲକାନଗିରି ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା, ଦନ୍ତେୱାଡ଼ା, ଜଗଦଲପୁର ଅଂଚଳରୁ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ଜଦୁପାହାଡ଼ ପରିଦର୍ଶନ ଏବଂ ପର୍ଯ୍ୟଟନ ସ୍ଥଳିର ମନୋରମ ଦୃଶ୍ୟ ଉପଭୋଗ କରିବା ସହ ବଣ ଭୋଜିର ମଜା ନେଇଥିଲେ।

ଜଦୁଗୁଡ଼ା ବନ ସଂରକ୍ଷଣ ସମିତି ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ୪ ଟି ପଂଚାୟତର ୬୦ରୁ ଅଧିକ ଯୁବକମାନେ ଶାନ୍ତିଶୃଙ୍ଗଳା ଓ ଯାନବାହାନ ନିୟନ୍ତ୍ରଣ କରିଥିଲେ। ସେହିପରି ମାଲକାନଗିରି ସଦର ମହକୁମାଠାରୁ ୫ କିଲୋମିଟର ଦୂରରେ ଥିବା ସତୀଗୁଡ଼ା ଜଳଭଣ୍ଡାରକୁ ଲାଗି ସତୀଗୁଡ଼ା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ସମେତ ମାଲକାନଗିରି ଜିଲ୍ଲା ଓ ଅନ୍ୟାନ୍ୟ ଜିଳ୍ଲାରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ନିଜ ନିଜର ପରିବାର ସହ ନବ ବର୍ଷ ପାଳନ ନିମନ୍ତେ ବଣଭୋଜି ଓ ନୌ –ବିହାର କରି ମଜା ଉଠାଇଥିଲେ। ଏହା ସଙ୍ଗେ ସଙ୍ଗେ ୱାଟର ଫାଉନଟେଂନ , ବଣଭୋଜି, ଫୁଲବଗିଚା, ଭ୍ୟୁ ପଏଂଟ ଆଦି ସ୍ଥାନରେ ନାଚଗୀତ ମାଧ୍ୟମରେ ବଣଭୋଜିର ମଜା ଉଠାଇବା ସହ ସେଲଫିର ମଜା ନେଉଥିବା ଦେଖାଯାଇଛି।

ସେହିପରି ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରକୁ ଲାଗି ରହିଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକମାନେ ବଣ ଭୋଜି କରିବା ସହ ନୌ-ବିହାର କରୁଥିବା ଦେଖାଯାଇଛି।

ପ୍ରକାଶ ଥାଉ କି ସତୀଗୁଡ଼ା ଓ ଚିତ୍ରକୋଣ୍ଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିରେ ନୌ-ବିହାର ପାଇଁ ବନ ବିଭାଗ ପକ୍ଷରୁ ସ୍କୁଟର ବୋଟ, ମୋଟର ବୋଟ, ମୋଟର ଲଂଚ ଓ ପ୍ୟାଡେଲ ବୋଟ ଯୋଗାଇ ଦିଆଯାଇଛି। ଏହି ୩ଟି ପର୍ଯ୍ୟଟନ ସ୍ଥଳିରୁ ଲକ୍ଷାଧିକ ଟଙ୍କା ପର୍ଯ୍ୟଟକଙ୍କ ଠାରୁ ରାଜସ୍ୱ ଆଦାୟ ହୋଇଥିବା ବନ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀଙ୍କଠାରୁ ଜଣାପଡ଼ିଛି।

ତେବେ ଚଳିତ ବର୍ଷ ଗୁରୁପ୍ରିୟା ସେତୁ ପର୍ଯ୍ୟଟକଙ୍କର ଅନ୍ୟ ଏକ ପ୍ରମୂଖ ସ୍ଥାନ ହୋଇଛି। ଏହି ସେତୁକୁ ଦେଖିବାକୁ ଶହ ଶହ ପର୍ଯ୍ୟଟକଙ୍କ ଭୀଡ଼ ଜମିଛି। ଦୂରଦୂରାନ୍ତରରୁ ଶହ ଶହ ପର୍ଯ୍ୟଟକ ଗୁରୁପ୍ରିୟା ନଦୀ ତଙ୍କରେ ବଣଭୋଜି କରିବା ସହ ଗୁରୁପ୍ରିୟା ପୋଲର ମୋନରମ ଦୃଶ୍ୟ ଉପଭୋଗ କରିଛନ୍ତି। ଏଥିସହ ସ୍ୱାଭିମାନ ଅଂଚଳର ଜାନବାଇ, ପାପରମେଟଲା ଅଂଚଳ ଗସ୍ତ କରି ବଣ ବାହାଡ଼ ଓ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିଛନ୍ତି।