୨୦୨୧ ବର୍ଷରେ ବାଣିଜ୍ୟରେ ହୋଇଥିବା କେତୋଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ:-

କନ୍ଦାଇଲା ଦର ବୃଦ୍ଧି
ବଢ଼ିଲା ଅସମାନତା, ଧନୀ-ଗରିବ ମଧ୍ୟରେ ଦୂରତା
ଆଉ ଦିନ କେଇଟା ପରେ ବିତିଯିବ ଗୋଟିଏ ବର୍ଷ। ବଦଳିଯିବ କ୍ୟାଲେଣ୍ଡର୍। ଆସିବ ନୂଆବର୍ଷ। ନୂଆ ସମ୍ଭାବନା। ପ୍ରତିଟି କ୍ଷେତ୍ରରେ। ଗତ ଦୁଇବର୍ଷ ଧରି କୋଭିଡ୍ ଓ ଦରଦାମ୍ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ହନ୍ତସନ୍ତ ହେଉଥିବା ସାଧାରଣ ଜନତା ଆଗାମୀ ବର୍ଷକୁ ଅନେଇ ବସିଛନ୍ତି। ୨୦୨୧ ଦେଇଯାଇଛି ଅନେକ ଦୁଃଖ। ମହାମାରୀର ପ୍ରଥମ ଲହର ପ୍ରଭାବରେ ହରାଇଥିବା ଜୀବିକା ମିଳିନାହିଁ। କୋଭିଡ୍ ମହାମାରୀଗ୍ରସ୍ତ ୨୦୨୦ ପରେ ପରେ ଲାଗିଲା କି ଥମିଗଲା ମହାମାରୀ। ସବୁକିଛି ସାମାନ୍ୟ ପରି ଲାଗିଲା। ବଢ଼ିଲା ସେନ୍ସେକ୍ସ। ବଢ଼ିଲା ନିବେଶ। ମାଟି କାମୁଡ଼ିଥିବା ଜିଡ଼ିପିରେ ଆସିଲା ସୁଧାର। ଜୀବନ ଜୀବିକା ସ୍ୱାଭାବିକ୍ ହେବା ଆରମ୍ଭ କଲାଠୁ ଦେଶରେ ଆରମ୍ଭହେଲା ବିଭିନ୍ନ କାର୍ଯ୍ୟକ୍ରମ। ମେଳା, ମଉତ୍ସବ ଓ ନିର୍ବାଚନ। ଫେରିଲା କୋଭିଡ୍। ଦ୍ୱିତୀୟ ଲହର। ପୋଛିନେଲା ଅନେକ ଜୀବନ। ହା ହା କାର ପଡ଼ିଲା ଦେଶରେ। ନାଁ ଶୁଣି ନଥିବା ଅକ୍ସିଜେନ୍, ଅକ୍ସିମିଟର, ମେଡିକାଲ୍ ଉପକରଣ ଆଦି ଶବ୍ଦ ଖବରକାଗଜରେ ପଢ଼ିବାକୁ ମିଳିଲା। ଘାରିଲା ଅକ୍ସିଜେନ୍ ଓ ମେଡିକାଲ୍ ଶଯ୍ୟା ସଙ୍କଟ। ଶେଷକୃତ୍ୟ ଖର୍ଚ୍ଚ ୧୦ଗୁଣା ବଢ଼ିବା ଯୋଗୁଁ ଗଙ୍ଗା ନଦୀରେ ଭାସିଲା ଶବ। ମେଡିକାଲ୍ ଖର୍ଚ୍ଚ ଯୋଗୁଁ ଲୋକେ ବିକିଲେ ପୈତୃକ ଘର। ସ୍ୱାହା ହୋଇଗଲା ସମସ୍ତ ସଞ୍ଚିତ ପୁଞ୍ଜି। ବୈଶ୍ୱିକ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ୍-ଡିଜେଲ୍ ଦର ଶହେ ଟଙ୍କାକୁ ବଳିଲା। ବଢ଼ିଲା ପରିବହନ ଖର୍ଚ୍ଚ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିଲା। ଇନ୍ଧନ-ଗ୍ୟାସ୍-ଖାଇବା ତେଲ-ଡାଲି-ଫଳ-ପନିପରିବା ହାତ ପାଆନ୍ତାରୁ ଘୁଞ୍ଚିଗଲା। ଜୀବିକା ହରାଇ, ରୋଜଗାର ହରାଇ ଯଥେକଷ୍ଟେ ପରିବାର ଚଳାଉଥିବା ମଧ୍ୟବିତ୍ତଙ୍କ ଘରେ ଚଡ଼କ ପଡ଼ିଲା। ଅପରପକ୍ଷରେ ଦେଶରେ ବଢ଼ି ଚାଲିଲା ଧନୀ ଓ ଅତିଧନୀଙ୍କ ସମ୍ପତ୍ତି। ଚରମ ସୀମାରେ ପହଞ୍ଚିଲା ଅସମାନତା। ଧନୀକ ଗୋଷ୍ଠୀଙ୍କ ନିକଟରେ ଠୁଳ ହେଲା ସମ୍ପତ୍ତି ଓ ଗରିବ ହେବାକୁ ଲାଗିଲେ ଅତି ଗରିବ। ଆଶଙ୍କାରେ କଟିଗଲା ୨୦୨୧। ଆଗାମୀ ବର୍ଷକୁ ଅପେକ୍ଷା। ଆଶା, ଆଶଙ୍କା ବଦଳିଯିବ ଆଶ୍ୱାସନାରେ। ମିଳିବ ଚାକିରୀ। କମିବ ଦରଦାମ୍। ବଢ଼ିବ ରୋଜଗାରେ। ଧନୀର ଧନ ସହିତ ତାଳ ଦେଇ ବଢ଼ିବ ଗରିବର ଆଶ୍ୱସ୍ତି। ନୂଆବର୍ଷ ଆଶାର, ଅପେକ୍ଷାର।

୬୦ ହଜାର ଟପିଲା ସେନ୍ସେକ୍ସ
ଭାରତୀୟ ବଜାରରେ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳିଲା। ୨୦୨୦ରେ କରୋନା ମାଡ ଯୋଗୁଁ ମାଟି କାମୁଡ଼ିଥିବା ଭାରତୀୟ ବଜାର ପୁଣି ନିଜ ହୃତ୍ଚମକ ଫେରିପାଇଲା। ଐତିହାସିକ ୬୦ ହଜାର ସୂଚକାଙ୍କ ଅତିକ୍ରମ କଲା। ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଇ ନେଇଥିବା ଘରୋଇ ତଥା ବିଦେଶୀ ନିବେଶକଙ୍କ ବିଶ୍ୱାସ ବଢ଼ିଲା। ସାରା ବର୍ଷରେ ଭାରତୀୟ ବଜାର ଅନେକ ଅସ୍ଥିରତା ଓ ଅନିଶ୍ଚିତତାର ସାମ୍ନା କରିଛି। କେବେ ନିବେଶକ ଲକ୍ଷ ଲକ୍ଷ କୋଟି ହରାଇଛନ୍ତି ତ କେବେ ଲକ୍ଷ ଲକ୍ଷ କୋଟି କମେଇଛନ୍ତି।

ଚମକିଲା ଆଇପିଓ ବଜାର
ବିଗତ ତିନିବର୍ଷ ମଧ୍ୟରେ ବଜାରକୁ ଆସିଥିବା ଆଇପିଓରୁ ଗତବର୍ଷ ସର୍ବାଧିକ ଆଇପିଓ ଆସିଛି। ୨୦୧୮ରେ ୨୫ ଆଇପିଓ, ୨୦୧୯ରେ ୧୬ ଓ ୨୦୨୦ରେ ୧୮ ଆଇପିଓ। ସର୍ବମୋଟ ଏହି ତିନିବର୍ଷରେ ୫୯ଟି ଆଇପିଓ ବଜାରକୁ ଆସିଥିବା ବେଳେ ୨୦୨୧ରେ ହିଁ କେବଳ ୬୩ ଆଇପିଓ ଆସିଥିଲା। ଆଇପିଓ ଜରିଆରେ ୧.୩୫ ଲକ୍ଷ କୋଟିରୁ ଅଧିକ ଅର୍ଥରାଶି ଠୁଳ ହୋଇଛି। ମୋଟ ଆଇପିଓ ଭଲ୍ୟୁମ୍ ୧୫.୩ ଅରବ ଡଲାର୍ ପାର୍ କରଛି।

ସୁଏଜ୍ କେନାଲ୍ରେ ଟ୍ରାଫିକ୍ ଜାମ୍କଲା ଏଭର୍ଗିଭେନ୍
ସୁଏଜ୍ କେନାଲ୍ରେ ଲାଗିଗଲା ଟ୍ରାଫିକ୍ ଜାମ୍। ଏଭର୍ଗିଭେନ୍ ନାମକ ଏକ ପଣ୍ୟବାହୀ ଜାହାଜ ସୁଏଜ୍ କେନାଲ୍ରେ ଫସବା ଯୋଗୁଁ ପଛକୁ ପଛ ଲାଗିଗଲା ଜାହାଜଙ୍କ ଲମ୍ବା ଧାଡି। ଅଟକିଗଲା ବିଶ୍ୱ ପରିବହନ। ପାଖାପାଖି ୩୫୦ରୁ ଊଦ୍ଧ୍ୱର୍ ଜାହାଜ ଜଳପଥରେ ଅଟକିଗଲେ। ବିଶ୍ୱରେ କଣ୍ଟେନର୍ ସଙ୍କଟ ଦେଖାଗଲା। ଦୈନିକ ୯ ହଜାର କୋଟି ଡଲାର୍ କ୍ଷତି ଘଟିଲା। ଶେଷରେ ଦୀର୍ଘ ଦିନର କସରତ ପରେ ସୁଏଜ୍ କେନାଲ୍ କର୍ତ୍ତୃପକ୍ଷ ଫସି ଯାଇଥିବା ଜାହାଜକୁ ବାହାର କରି ସୁଏଜ୍ କେନାଲ୍ ପଥକୁ ପରିସ୍କାର କଲେ। ଜାହାଜ କର୍ତ୍ତୃପକ୍ଷଙ୍କ ଉପରେ ୯୦୦ ମିଲିୟନ୍ ଡଲାର୍ର କ୍ଷତିପୂରଣ ଲାଗୁ କରାଗଲା।

ଦେଶରେ ଶହେ ଟପିଲା ପେଟ୍ରୋଲ୍-ଡିଜେଲ୍ ଦର
ଗତବର୍ଷ ଦେଶର କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ କିଛି କାଳ ଅଟିକ ଯାଇଥିଲା ତୈଳ ଦର ବୃଦ୍ଧି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରକ୍ରିୟା ଶେଷ ହେଉଣୁ ସରକାର ଆରମ୍ଭ କଲେ ଦର ବୃଦ୍ଧି। କ୍ରମାଗତ ଭାବେ ଦର ବଢ଼ିବା ସହିତ ନିତ୍ୟ ନିୟମିତ ନୂଆ ନୂଆ ରେକର୍ଡ କଲା। ପେଟ୍ରୋଲ୍ ସହିତ ତାଳ ଦେଇ ଡିଜେଲ୍ ଦର ମଧ୍ୟ ଲିଟର ପ୍ରତି ଶହେ ଟଙ୍କା ଅତିକ୍ରମ କଲା। ସାଧାରଣରେ ଅସନ୍ତୋଷ ବଢ଼ିଲା। ଦରଦାମ୍ ବଢ଼ିଲା। ପରିବହନ ଖର୍ଚ୍ଚ ବଢ଼ିଲା। ଲୋକଙ୍କ ଯାତାୟତ ଖର୍ଚ୍ଚ ବଢ଼ିଲା। ସରକାରଙ୍କ ରାଜସ୍ୱ ବଢ଼ିଲା। ଶେଷରେ ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କରି ରାଜ୍ୟମାନଙ୍କୁ ଭାଟ୍ ଦର ହ୍ରାସ କରିବାକୁ ଆହ୍ୱାନକଲେ। ଅନେକ ରାଜ୍ୟ ଭାଟ୍ ହ୍ରାସ କଲା ପରେ ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଲା। ଆଜି ବି ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଦର ଶହେ ଟଙ୍କା ଉପରେ ରହିଛି।

ଘନେଇଲା କୋଇଲା ସଙ୍କଟ
ଚୀନ୍ରେ ଦେଖାଗଲା ବିଜୁଳି ସଙ୍କଟ। ବନ୍ଦ ହୋଇଗଲା ଚୀନ୍ର ବିଭିନ୍ନ ଉତ୍ପାଦନ ୟୁନିଟ୍। ପରେ ପରେ ଆମ ଦେଶରେ ମଧ୍ୟ ଅନୁଭୂତ ହେଲା ବିଜୁଳି ସଙ୍କଟ। ତାପଜ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ଗୁଡିକରେ କୋଇଲାର ଅଭାବ ଦେଖାଗଲା। ପ୍ରବଳ ବର୍ଷା ଯୋଗୁଁ ଦେଶର ପ୍ରମୁଖ କୋଇଲା ଖଣି ଜଳମଗ୍ନ ହେବା ଯୋଗୁଁ ବାଧା ପାଇଲା କୋଇଲା ଉତ୍ପାଦନ ଓ ପରିବହନ। ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲାର ସର୍ବନିମ୍ନ ଅବଶେଷ ହ୍ରାସ ପାଇବାକୁ ଲାଗିଲା। ସରକାର ତ୍ୱରିତ୍ ପଦକ୍ଷେପ ନେଲେ। ଦେଶରେ ଗଚ୍ଛିତ କୋଇଲାକୁ କେବଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ। ଫଲରେ ଟଳିଗଲା ବିଦ୍ୟୁତ୍ ସଙ୍କଟ।

ଦେଶରେ ଚମକିଲା କ୍ରିପ୍ଟୋ ବଜାର
ବିଶ୍ୱବ୍ୟାପୀ ଆଦୃତ ଡିଜିକଏନ୍ର ଚମକ୍ ଦେଶର ଘରୋଇ ନିବେଶକଙ୍କୁ ଆକର୍ଷିତ କଲା। ଡିଜିକଏନ୍ର ମୋହରେ ହେଉ ଅବା ଅଧିକ ଲାଭ ଯୋଗୁଁ ନିବେଶକମାନେ ଏହାକୁ ଆଦରି ନେଲେ। ସ୍ଥାପନା ହେବା ପରଠୁ ୨୦୨୧ରେ ଏହା ସର୍ବାଧିକ ଲୋକପ୍ରିୟ ହେଲା। ଭାରତରେ ମଧ୍ୟ ବିଟ୍କଏନ୍ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଅନୁମତି ଦେବାକୁ ପଛଘୁଞ୍ଚା ଦେଉଛି। ଦେଶରେ ଡିଜିକଏନ୍କୁ ସମ୍ପୂର୍ଣ୍ଣ ନିଷେଧ କରିବା ସପକ୍ଷରେ ରହିଛି ଆର୍ବିଆଇ। ଆର୍ବିଆଇ ନିଜସ୍ୱ ଡିଜିକଏନ୍ ଆଣିବାର ଯୋଜନାରେ ରହିଛି। ୨୦୨୨ ଏ ନେଇ ନିର୍ଣ୍ଣାୟକର ବର୍ଷ ରହିବ ବୋଲି ଆଶା କରାଯାଉଛି।

ଜୀ ଓ ସୋନୀର ମିଶ୍ରଣ
ବହୁ ବାଦବିବାଦ ପରେ ଦେଶର ଲୋକପ୍ରିୟ ଚ୍ୟାନେଲ୍ ଜୀ ଓ ସୋନୀର ମିଶ୍ରଣକୁ ବୋର୍ଡର ମଞ୍ଜୁରୀ ମିଳିଛି। ନୂଆ କମ୍ପାନୀର ନିର୍ଦ୍ଦେଶନା ମଣ୍ଡଳୀରେ ପୁନିତ ଗୋୟନ୍କା ରହିବେ। ଖୁବ୍ ଶୀଘ୍ର ଉଭୟ କମ୍ପାନୀର ନେଟ୍ୱାର୍କ, ଡିଜିଟାଲ୍ ଆସେଟ୍ସ, ପ୍ରଡକ୍ସନ୍ ଅପରେସନ୍ ଓ ପ୍ରୋଗ୍ରାମ ଲାଇବ୍ରେରୀର ଏକତ୍ରୀକରଣ କରାଯିବ। ନୂଆ କମ୍ପାନୀରେ ସୋନୀର ଅଧିକ ଅଂଶଧନ ରହିବା ସହିତ ନିର୍ଦ୍ଦେଶକଙ୍କ ନିଯୁକ୍ତି ସୋନୀ ଗ୍ରୁପ୍ କରିବ

ଟାଟା ଟୋକେଇରେ ଏୟାର୍ଇଣ୍ଡିଆ
ଦୀର୍ଘ ୭୮ ବର୍ଷ ପରେ ଟାଟା ଟୋକେଇକୁ ପୁଣି ଥରେ ଫେରିଲା ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର୍ଇଣ୍ଡିଆ। ୧୯୩୨ରେ ଜେଆର୍ଡି ଟାଟା, ଟାଟା ଏୟାର୍ଲାଇନ୍ସର ଶୁଭାରମ୍ଭ କରିଥିଲା। ୧୯୫୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଏହାର ରାଷ୍ଟ୍ରୀୟକରଣ କରିଥିଲେ। ସର୍ବାଧିକ ବିଡ୍ ଦାଖଲ କରି ଅର୍ଥାତ୍ ୧୮ ହଜାର କୋଟି ଟଙ୍କା ବିନିମୟରେ ଟାଟା ସନ୍ସ ଏୟାର୍ଇଣ୍ଡିଆକୁ ହାତେଇଲା। ୱେଲ୍କମ୍ ବ୍ୟକ୍ ବୋଲି ଭାବପୂର୍ଣ୍ଣ ଟ୍ୱିଟ୍ କରି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା

ରେଟ୍ରୋ ଟ୍ୟାକ୍ସ ପ୍ରତ୍ୟାହାର ଓ କେୟର୍ଣ୍ଣସ ମାମଲା
ବ୍ରିଟିଶ୍ କମ୍ପାନୀ ଭାରତ ସରକାରଙ୍କ ନାକେଦମ୍ କରି ରଖିଲା। ଆମେରିକା, ବ୍ରିଟେନ୍ ସମେତ ବିଶ୍ୱର ବିଭିନ୍ନ ଦେଶରେ ସରକାରଙ୍କ ବିରୋଧରେ ମାମଲା ଦାଖଲ କଲା। ବିଦେଶରେ ଭାରତ ସରକାରଙ୍କ ସମ୍ପତ୍ତିକୁ ଫ୍ରିଜ୍ କଲା। ସରକାର ଶେଷରେ ସଂସଦରେ ଆଇନ୍ ଆଣି ପୂରାତନ ରେଟ୍ରୋସ୍ପେକ୍ଟିଭ୍ ଟ୍ୟାକ୍ସ ଆଇନ୍କୁ ପ୍ରତ୍ୟାହାର କଲେ। ନିକଟରେ କେୟର୍ଣ୍ଣ୍ ଭାରତ ସରକାରଙ୍କ ବିରୋଧରେ ଦାଖଲ କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନେଇଛି।

କାଗଜବିହୀନ ବଜେଟ୍
ଗତ ବର୍ଷ ସଂସଦରେ ସାଧାରଣ ବଜେଟ୍ ଆଗତ କରିବା ସମୟରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଦେଶରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବଜେଟ୍ ଡକ୍ୟୁମେଣ୍ଟ୍ସର ମୁଦ୍ରଣ ନକରି କାଗଜବିହୀନ ବଜେଟ୍ ଆଗତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସାଧାରଣତଃ ଲେଦର୍ ବ୍ରିଫ୍କେଶରେ ବଜେଟ୍ ଡକ୍ୟୁମେଣ୍ଟ୍ସ ନେଇ ସଂସଦକୁ ଆସୁଥିବା ଅର୍ଥମନ୍ତ୍ରୀ ଏଥର ସଫ୍ଟ କପିରୁ ବଜେଟ୍ ଅଭିଭାଷଣ ପାଠ କରିଥିଲେ।