ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଟେଲର୍‌ଙ୍କ ସନ୍ନ୍ୟାସ

ୱେଲିଂଟନ୍‌,ଏଜେନ୍ସି: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ଅନୁଭବୀ ଖେଳାଳି ରସ୍ ଟେଲର୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଗୁରୁବାର ଟ୍ୱିଟ୍ କରି ଟେଲର୍ କହିଛନ୍ତି, ଘରୋଇ ସମର୍ ପରେ ସେ କ୍ରିକେଟ୍‌କୁ ଅଲ୍‌ବିଦା କହିବେ। ନେଦରଲାଣ୍ଡ୍‌ସ ବିପକ୍ଷ ୩ ଦିନିକିଆ ମ୍ୟାଚ୍ ସିରିଜ୍ ତାଙ୍କର ଅନ୍ତିମ ମ୍ୟାଚ୍ ହେବ। ଏହି ସିରିଜ୍ ଏପ୍ରିଲ୍ ୪ ତାରିଖରୁ ହାମିଲ୍‌ଟନ୍‌ରେ ଆରମ୍ଭ ହେବ। ତେବେ ଟେଲର୍ ସେଣ୍ଟ୍ରାଲ୍ ଷ୍ଟାଗ୍‌ସ ପକ୍ଷରୁ ଘରୋଇ କ୍ରିକେଟ୍ ଜାରି ରଖିବେ। ଟ୍ୱିଟ୍ କରି ଟେଲର୍ କହିଛନ୍ତି, ‘ଘରୋଇ ସମର୍ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିବି। ସନ୍ନ୍ୟାସ ପୂର୍ବରୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ବିପକ୍ଷ ୬ଟି ଦିନିକିଆ ମ୍ୟାଚ୍ ଖେଳିବି। ୧୭ ବର୍ଷର କ୍ୟାରିୟର୍‌ରେ ମୋତେ ଦେଇଥିବା ସମର୍ଥନ ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ। ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ।’

୧୯୮୪ ମାର୍ଚ୍ଚ ୮ ତାରିଖରେ ୱେଲିଂଟନ୍‌ର ଲୋୟର୍ ହଟ୍‌ରେ ଜନ୍ମିତ ଟେଲର୍ ନ୍ୟୁଜିଲାଣ୍ଡ ପକ୍ଷରୁ ୧୧୦ ଟେଷ୍ଟ ଓ ୨୨୩ ଦିନିକିଆ ଖେଳିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାମରେ ୭୫୮୪ ରନ୍ ରହିଛି। ସେହିପରି ଦିନିକିଆରେ ସେ ୮୫୮୧ ରନ୍ ସଂଗ୍ରହ କରିଛନ୍ତି। ଟି-୨୦ କ୍ରିକେଟ୍‌ର ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅନ୍ୟତମ ଟେଲର୍ ନ୍ୟୁଜିଲାଣ୍ଡ ପକ୍ଷରୁ ୧୦୨ ମ୍ୟାଚ୍‌ରେ ୧୯୦୯ ରନ୍ କରିଛନ୍ତି। ସୂଚନାଯୋଗ୍ୟ, କିୱି ଟିମ୍‌ର ମହାନତମ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଟେଲର୍ ଟେଷ୍ଟ ଓ ଦିନିକିଆରେ ଟିମ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ସେ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିବା ବେଳେ ୨୦୦୭ରେ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।