ପ୍ରକାଶ ପାଇଲା ନିର୍ବାଚନୀ ଚିହ୍ନ ତାଲିକା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତାବର୍ଷ ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇସାରିଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ମଧ୍ୟ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ସଂରକ୍ଷଣ ତାଲିକା ବାହାର କରିଛନ୍ତି। ଇତି ମଧ୍ୟରେ ପ୍ରାର୍ଥୀମାନେ କେଉଁ କେଉଁ ଚିହ୍ନରେ ନିର୍ବାଚନ ଲଢ଼ିବେ ଏନେଇ ବୁଧବାର ରାଜ୍ୟ ନିର୍ବାଚନ କମିଶନ ଚିହ୍ନ ତାଲିକା ପ୍ରକାଶ କରିଛନ୍ତି।

ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ୩୨ଟି ଚିହ୍ନ ସ୍ଥିରୀକୃତ କରାଯାଇଛି। ଯାହା ମଧ୍ୟରେ ରହିଛି ଖୋଲାବହି, ମାଛ, ସୂର୍ଯ୍ୟ, ବରଗଛ, ବାଇଗଣ, ଲଣ୍ଠନ, ମହମବତୀ, ବେଲୁନ୍‌, କ୍ୟାମେରା, ପାନିଆ, ଟୋପି, ଟେବୁଲ୍‌, ପ୍ରେସର କୁକର, ଗ୍ୟାସ୍ ସିଲିଣ୍ଡର, ସେଓ, କଦଳୀ, ନିଶୁଣି, ଲଙ୍ଗଳ ଭଳି ବିଭିନ୍ନ ପ୍ରକାରର ଚିହ୍ନ। ସେହିଭଳି ସମିତିସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ମୋଟ ୧୯ଟି ଚିହ୍ନ ବଛାଯାଇଛି।

ଯାହା ମଧ୍ୟରେ ରହିଛି କେଟିଲି, ଷ୍ଟୁଲ, ବସ୍‌, ଚଷମା, ମାଠିଆ, ସପୁରୀ, ଘଣ୍ଟି, କଣ୍ଢେଇ, ବ୍ୟାଟ୍ସମ୍ୟାନ୍‌, ଫୁଟବଲ୍‌, ମକା, ବଂଶୀ, ଉଡ଼ାଯାହାଜ ଆଦି ଚିହ୍ନ। ଅନ୍ୟପଟେ ୱାର୍ଡମେମ୍ବରଙ୍କ ପାଇଁ ୧୫ଟି ଚିହ୍ନର ବିକଳ୍ପ ରଖାଯାଇଥିବା ବେଳେ ସେଥିମଧ୍ୟରେ ଅଛି ଶଗଡ଼ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ସାଇକେଲ, ଗାଜର, କଇଁଚି, ଚୌକି, ଫ୍ରକ୍‌, ଚାମଚ, ଟର୍ଚ୍ଚ ଆଦି ଚିହ୍ନ। ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜରିଆରେ ଅବଗତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।