ରାୟଗଡା,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନେ ପ୍ରତିଶୃତି ପାହାଡ ଭୋଟରଙ୍କ ସମ୍ମୁଖରେ ରଖୁଛନ୍ତି। ଏଭଳି ଏକ ବିଚିତ୍ର ସ୍ଥିତି ନଜରକୁ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ। କାଶୀପୁର ବ୍ଲକ ‘ଖ’ ଜୋନର ସ୍ୱାଧୀନ ପ୍ରାର୍ଥୀ ରିଙ୍କି ନାୟକ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।
ଭୋଟ ବର୍ଜନ ନକରିବା ପାଇଁ କହିବା ସହ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ କୋଡ଼ିପାରି ପଞ୍ଚାୟତର କଣ୍ଟାବାଞ୍ଜି ଗ୍ରାମରେ ପ୍ରାୟ ୩୦ ପରିବାରରୁ ଅଧିକ ପରିବାର ବସବାସ କରୁଥିବା ବେଳେ ବିକାଶ ଏଠି ପହଞ୍ଚି ନାହିଁ। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ନିର୍ବାଚନ ସରିଲା ପରେ କୌଣସି ନେତା କିମ୍ବା ଲୋକ ପ୍ରତିନିଧିଙ୍କ ଦେଖା ମିଳୁନଥିବା ପ୍ରତିବାଦ ଏହି ନିଷ୍ପତ୍ତି ହୋଇଥିଲା।
ଏହି ଗାଁ’କୁ ନା ଅଛି ରାସ୍ତା ନା ପାନୀୟ ଜଳ। ଗାଁ’କୁ ଯିବାକୁ ହେଲେ ନଦୀ ଭିତରେ ଦେଇ ଚାଲି ଚାଲି ଯିବାକୁ ପଡ଼ିଥାଏ। ଏପରିକି ଗ୍ରାମରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ନଥିବା ବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ ଘର ମଧ୍ୟ ନାହିଁ। ଏହା ସହ ସରକାରଙ୍କ ଯୋଜନା ମଧ୍ୟ ଗ୍ରାମରେ ପହଞ୍ଚିପାରି ନାହିଁ। ଏସବୁ ସମସ୍ୟାକୁ ନେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ କଣ୍ଟାବାଞ୍ଜି ଗ୍ରାମବାସୀ।
ରିଙ୍କିଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସମସ୍ୟା ପଚାରିଥିଲେ। ବୁଝିବା ପରେ ସେ ନିର୍ବାଚନରେ ବିଜୟୀ ହୁଅନ୍ତୁ କିମ୍ବା ପରାଜିତ ହୁଅନ୍ତୁ ଗ୍ରାମର ମୌଳିକ ସମସ୍ୟା ଦୂର କରିବାକୁ କହିବା ସହ ଷ୍ଟାମ୍ପ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରତିଶୃତି ପରେ ଗ୍ରାମବାସୀମାନେ ଭୋଟ ବର୍ଜନରୁ ଓହରିଥିବା ପ୍ରକାଶ କରିଛନ୍ତି।