ଫୁଲବାଣୀ,ଏନ୍ଏନ୍ଏସ୍: ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ଗ୍ରାମ ନିକଟରେ ଏହି ବିସ୍ଫୋରଣ ଘଟିଛି। ଗତକାଲି ମାଓବାଦୀ ମାନେ ସେହି କିଆମୁଣ୍ଡାରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେବା ସହିତ ସେହି ନିକଟରେ ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଏବଂ ଲାଲ ବ୍ୟାନର ଲଗାଇଥିଲେ।
ଆଜି ସେହି ବ୍ୟାନର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି କିଆମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ପ୍ରିୟ ରଞ୍ଜନ କହଁର। ତାଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି।ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚିନଥିବା ବେଳେ କିଆମୁଣ୍ଡା ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।