ବାଲିଗୁଡ଼ା,ଏନ୍ଏନ୍ଏସ୍: ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ। ସୂଚନା ଅନୁସାରେ ଗତକାଲି ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ନଂ ଓ୍ବାର୍ଡ ନୁଆସାହି ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬ ବର୍ଷ) ଟ୍ୟୁସନ୍ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲା।
ଠିକ୍ ସମୟରେ ବଳରାମ ଘରକୁ ନଫେରିବାରୁ ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ୍ ନଯାଇ କେଉଁଆଡ଼େ ଚାଲିଯାଇଥିବା ଶୁଣିବାକୁ ପାଇଲେ। ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ। ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୁଲିସ ଥାନା କେସ୍ ନଂ ୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।