ଆଜି ଜିରୋ ପଜିଟିଭ

ଫୁଲବାଣୀ,ଏନ୍ଏନ୍ଏସ୍: ସୋମବାର କନ୍ଧମାଳ ଜିଲ୍ଲାରେ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଜିଲ୍ଲାରେ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇନାହାଁନ୍ତି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯୨୭ରେ ସ୍ଥିର ରହିଛି। ସେହିଭଳି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ୬ରେ ସ୍ଥିର ଅଛି। ଆଜି ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୮୮୮ ଅଛି । ଏହି ମହାମାରୀରେ ଜିଲ୍ଲାରେ ସମୂଦାୟ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟତଃ ଏକ କିମ୍ବା ଶୂନ ରହୁଛି। ତେଣୁ ଜିଲ୍ଲା କରୋନା ମୁକ୍ତ ଆଡକୁ ଯାଉଥିବା ଅନୁମାନ କରାଯାଉଛି। ତେବେ ମହାମାରୀର ପ୍ରଭାବ ହ୍ରାସ ପାଉଥିଲେ ବି ଏହା ସଂପୂର୍ଣ୍ଣ ଦୂର ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କଟକଣାକୁ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।