ସରୋଜ ନାବାଳକ ପ୍ରମାଣିତ, ସୁଧାର ଗୃହକୁ ପଠାଗଲା

ଭୁବନେଶ୍ୱର,ଏନ୍ଏନଏସ୍: ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ସାବାଳକ ନୁହେଁ ବରଂ ନାବାଳକ। ଆଜି ନୟାଗଡ଼ ପକ୍ସୋ କୋର୍ଟ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ଏସଆଇଟି ସରୋଜର ବୟସ ବଢ଼ାଇ ସାବାଳକ ବୋଲି ଦର୍ଶାଇଥିବା ଅଭିଯୋଗ କରି ଏହାକୁ ଚ୍ୟାଲେଞ୍ଜ କରିଥିଲେ ଅଭିଯୁକ୍ତଙ୍କ ଓକିଲ। ଆଜି ତା’ର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ୍ ପ୍ରମାଣପତ୍ରକୁ କୋର୍ଟଙ୍କ ଆଗରେ ରଖାଯାଇଥିଲା। ପରେ ଅଭିଯୁକ୍ତ ନାବାଳକ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ମାମଲାର ପରିଚାଳନା ଭାର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ହସ୍ତାନ୍ତର କରିଛନ୍ତି।

ପ୍ରକାଶ ଯେ, ଡିସେମ୍ବର ୨୧ତାରିଖରେ ସରୋଜ ସେଠୀକୁ ଗିରଫ କରିବା ସହ ଓସିଫିକେସନ୍ ଟେଷ୍ଟ କରାଇ କୋର୍ଟରେ ତାକୁ ସାବାଳକ ଦର୍ଶାଇଥିଲା ଏସଆଇଟି। ହେଲେ ସରୋଜର ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ୍ ସାର୍ଟିଫିକେଟରେ ଜନ୍ମ ତାରିଖ ୦୬.୦୨.୨୦୦୩ ଉଲ୍ଲେଖ ରହିଛି। ଅର୍ଥାତ୍ ସରୋଜକୁ ଏବେ ୧୭ ବର୍ଷ ବୟସ। ଏଣୁ ପକ୍ସୋ କୋର୍ଟ ସମସ୍ତ ପ୍ରମାଣପତ୍ର ଦେଖିବା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି। ବର୍ତ୍ତମାନ ଘଟଣାରେ ନୂଆ ମୋଡ଼ ଆସିଥିବା ବେଳେ ସରୋଜକୁ ନୟାଗଡ଼ ସବଜେଲରୁ ଅନୁଗୋଳର ବାଳ ସୁଧାର ଗୃହକୁ ପଠାଯାଇଛି। ଏହା ପୂର୍ବରୁ ତାକୁ ଚାଇଲ୍ଡ କୋର୍ଟରେ ହାଜର କରାଇଥିଲା ଏସଆଇଟି। ନାର୍କୋ ଟେଷ୍ଟ୍ ପାଇଁ ମଧ୍ୟ ଚାଇଲ୍ଡ କୋର୍ଟରେ ଆବେଦନ ହୋଇଥିବାବେଳେ ଆସନ୍ତା ୮ ତାରିଖରେ ଏନେଇ ଶୁଣାଣି ହେବ। ଜୁଭେନାଇଲ ଜଷ୍ଟିସ୍ ଆକ୍ଟ-୨୦୧୫ ଆଧାରରେ ଚାଇଲ୍ଡ କୋର୍ଟ ସରୋଜର ବୟସ ନେଇ ତଦାରଖ କରିବା ପରେ ମାମଲାର ପରିଚାଳନା ନେଇ ନିଷ୍ପତ୍ତି ନେବେ।