ନବରଙ୍ଗପୁର କଲେଜରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ସମ୍ମାନିତ ଅତିଥିଭାବେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନନ୍ଦାହାଣ୍ଡି ରଶ୍ମିତା ମାଝୀ, ବିଶିଷ୍ଟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ନୋଡାଲ ଅଧିକାରୀ ବରିଷ୍ଠ ପ୍ରାଧ୍ୟାପକ ଡି.ଗୋବିନ୍ଦା ରାଓ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଯୁବଶକ୍ତିର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ଲୁକ୍କାୟିତ କଳା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହା ଓଡ଼ିଶା ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ କ୍ରୀଡ଼ା, ସାହିତ୍ୟ, ସାଂସ୍କୃତିକ, ସାମାଜିକ ଓ ସେବାମୂଳକ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଶୁ ଶ୍ରମିକ ଉପରେ “ଅଭୁଲା ଏ ଅତ୍ୟାଚାର’ ନାମକ ଏକ ଛୋଟ ନାଟକ ପରିବେଷଣ କରାଯିବା ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା ଅର୍ଥନୀତି ବିଭାଗର ମୁଖ୍ୟ ଦିଲ୍ଲୀପ ହୋତା ଓ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶମ୍ଭୁ ପ୍ରସାଦ ହୋତା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସରକାରଙ୍କ ଏହି ନୂତନ ଅଭିନବ ଯୋଜନାକୁ ଅଧ୍ୟକ୍ଷ ଡ଼ା. ବିଶ୍ୱାଳ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।