ଏସିଡ୍ ଆକ୍ରମଣରେ ୩ ଆହତ

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବାପା ଚନ୍ଦ୍ର ମହାନ୍ତି, ପୁଅ ସୁରଜ ମହାନ୍ତି ଓ ଅନ୍ୟଜଣେ ଯୁବକ ରାକେଶ ମିଶ୍ର ରହିଛନ୍ତି । ଏସିଡ ଆକ୍ରମଣକାରୀ ପ୍ରମୋଦ ସାହୁକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଆହତ ହୋଇଛି । ସମସ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଟାଉନ ଥାନା ପୁଲିସ ଏବଂ ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ସୁରଜ ଓ ତାଙ୍କ ସାଙ୍ଗ ରାକେଶ ଶଶୀ ପାନ ଦୋକାନ ଛକରେ ବାଇକ ଉପରେ ବସିଥିବାବେଳେ ହଠାତ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା ଏବଂ ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ତାଙ୍କ ଉପରକୁ ମଧ୍ୟ ଏସିଡ଼ ଫିଙ୍ଗିଥିଲା । ଏହି ସମୟରେ ସ୍ଥାନୀୟ ଲୋକ ପ୍ରମୋଦକୁ କାବୁ କରି ମାଡ଼ ମାରିଥିଲେ । ଏନେଇ ଟାଉନ ଥାନା ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦକୁ ଧରିବା ସହିତ ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲା । ତେବେ ପ୍ରମୋଦ କେଉଁ କାରଣରୁ ଏସିଡ ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା ସନ୍ଦେହ କରାଯାଉଛି ବୋଲି ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ।