ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ରେଡକ୍ରସର ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟରେ ଥିବା ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସ୍କୁଲ, କଲେଜର ଅଧ୍ୟକ୍ଷ ଓ ରେଡକ୍ରସ କାଉନସିଲରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କମିଟି ଅଧ୍ୟକ୍ଷ ଡା ଭାସ୍କର ନାଥ ବିଶ୍ୱାଳ ଉଦଘାଟନ କରି ବିଭିନ୍ନ ଜନହିତକର କାର୍ଯ୍ୟ ହାତକୁ ନେଇ ଜିଲ୍ଲାର ରେଡ଼କ୍ରସକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା କମିଟି ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଅନ୍ୟତମ ଅତିଥିଭାବେ ଯୋଗଦେଇ ରେଡକ୍ରସର ଜିଲ୍ଲା ସ୍ଥିତିକୁ ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ଅନ୍ୟତମ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ ରେଡକ୍ରସ ନଥିବା ବିଭିନ୍ନ ସ୍କୁଲ ଓ କଲେଜରେ ୟୁନିଟ ଖୋଲିବା ସହ ଅଭିଯାନକୁ ବ୍ୟାପକ କରିବା ନେଇ ପ୍ରସ୍ତାବ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଜାତୀୟ ଫାଷ୍ଟଏଡ ସମ୍ବଳ ପ୍ରଶିକ୍ଷକ ଡା. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ସମସ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ଦେବା ଉପରେ ପ୍ରସ୍ତାବ ଦେଇଥିଲେ । ନବରଙ୍ଗପୁର ମହାବିଦ୍ୟାଳୟ ରେଡକ୍ରସ କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲରମାନେ ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଭୈରବ ଡିଗ୍ରୀ ମହାବିଦ୍ୟାଳୟ-ଡାବୁଗାଁରେ ଜାନୁୟାରୀରେ କରିବା ପାଇଁ ସ୍ଥିର ହେବାସହ ପ୍ରଥମଥର ପାଇଁ ରେଡକ୍ରସର ଜୋନସ୍ତରୀୟ ଆନ୍ତଃଜିଲ୍ଲା ତାଲିମ ଶିବିର ନବରଙ୍ଗପୁର ମହାବିଦ୍ୟାଳୟରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିସହିତ ସ୍ଥାନୀୟ ଆବାସିକ ଅନୁଷ୍ଠାନ ବିଦ୍ୟାର୍ଥୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ନାୟକ ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାଉନସିଲରଙ୍କୁ ନେଇ ଏକ ତାଲିମ ଶିବିର କରିବା ସହ ଏଥିଲାଗି ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା, ଅଧ୍ୟାପକ ଜିତେନ୍ଦ୍ର କୁମାର ରଥ, କାଉନସିଲର ଅଶ୍ୱିନୀ ବେହେରା, ଅଶୋକ ପାତ୍ର ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଚନ୍ଦାହାଣ୍ଡି, ଝରିଗାଁ, ରାଇଘର, ଉମରକୋଟ, ହାଟଭରଣ୍ଡି, ଡାବୁଗାଁ, ପାପଡ଼ାହାଣ୍ଡି, ମୈଦଲପୁର, ଇନ୍ଦ୍ରାବତୀ, କୋଡ଼ିଗାଁ ଓ ନବରଙ୍ଗପୁର ଆଦିରେ ଥିବା ଅନୁଷ୍ଠାନଗୁଡ଼ିକରୁ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।