ଭୂତକୋଠି ପାଲଟିଥିବା ବିଦ୍ୟାଳୟକୁ ପୁନଃରୁଦ୍ଧାର କଲେ ଯୁବଗୋଷ୍ଠୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌରାଞ୍ଚଳ ୫ ନମ୍ବର ୱାର୍ଡରେ ପୌର ପରିଷଦ ଅଧୀନରେ ଥିବା ପ୍ରାଥମିକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଥିଲା । ଏହାର ପୁନଃଉଦ୍ଧାର ପାଇଁ ସାହି ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ସତ୍ୱେ ପୌର ପରିଷଦ କର୍ଣ୍ଣପାତ ନ କରିବାରୁ ଶେଷରେ ଆଜି ଏକ ଯୁବଗୋଷ୍ଠୀ ଏହି କାର୍ଯ୍ୟ ନିଜ ହାତକୁ ନେଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ୫ ନମ୍ବର ୱାର୍ଡରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୧୯୬୩ ମସିହାରେ ସ୍ଥାପିତ ହୋଇଥିବାବେଳେ ଦେବଗଡ଼ ପୌର ପରିଷଦ ଅଧୀନରେ ଏହା କାର୍ଯ୍ୟକାରୀ ହୋଇ ଆସୁଥିଲା । ପୌରାଞ୍ଚଳରେ ଥିବା ପୁରୁଣା ସ୍କୁଲ କୋଠା ମଧ୍ୟରେ ଅନ୍ୟତମ ଏହି ସ୍କୁଲ ରକ୍ଷଣବେକ୍ଷଣ ଅଭାବରୁ ଜରାଜୀର୍ଣ ହୋଇ ଭୂତ କୋଠି ପାଲଟି ଥିବାବେଳେ ଏହାକୁ ଟୀକାକରଣଠାରୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ପ୍ରଶାସନ ବ୍ୟବହାର କରିଆସୁଛି । ମାତ୍ର ରକ୍ଷଣବେକ୍ଷଣ ପ୍ରତି ଧ୍ୟାନ ନଦେବା କାରଣରୁ ବିଦ୍ୟାଳୟର କଳା ପଟା ଧଳା ହୋଇ ଯାଇଥିବାବେଳେ ଆଜବେଷ୍ଟ ଛାତ ଫାଟି ଯାଇଛି । ମରାମତି ପାଇଁ ସାହି ବାସିନ୍ଦା ଅନୁରୋଧ କରି ନିରାଶ ହେବା ଦେଖି ନୂତନ ଭାବେ ବିଜେଡି ଦଳ ପକ୍ଷରୁ କାଉନସିଲର ନିର୍ବାଚିତ ହୋଇଥିବା ଯତୀନ ନାୟକଙ୍କ ସମେତ ସ୍ୱେଛାସେବୀ ରାଜକିଶୋର ଦାସ ଓ ଶୁକଦେବ ଭଞ୍ଜ ‘ହ୍ୟାପି ଟୁ ହେଲ୍ପ’ ନାମକ ଏକ ଫାଉଣ୍ଡେସନ ଗଠନ କରି କିଛି ଶିକ୍ଷିତ ଯୁବକଙ୍କ ନିଜସ୍ୱ ପାଣ୍ଠିରୁ ସ୍କୁଲର ଆଜବେଷ୍ଟ ବଦଳାଇବା ସହ ରଙ୍ଗ ଓ ମରାମତି କାମ ଶ୍ରମ ଦାନ କରି ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।