ଆନ୍ଧ୍ରପ୍ରଦେଶରେ ଓଡିଆ ଯୁବକଙ୍କ ମୃତ୍ୟୁ : ଆମ୍ବୁଲାନ୍ସକୁ ଅଟକ ରଖିଲେ ଗ୍ରାମବାସୀ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଭେଜାଗୁଡା ଗ୍ରାମର ରାମସିଂ ମାଡିଙ୍କ ପୁଅ ରାଜୁ ମାଡି (୧୮) ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ପାଲାକଲୁ ବ୍ଲକ କାବାବରମ ଗ୍ରାମରେ ଏକ ଚିଙ୍ଗୁଡି ଫାର୍ମରେ କାମ କରୁଥିଲେ। ତାଙ୍କର ଦେହ ଅସୁସ୍ଥ ହେବାରୁ ଭିମବରମର ଇମ୍ପେରିଆଲ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁଙ୍କ ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ କମ୍ପାନୀର ମାଲିକ ଆନ୍ଧ୍ରର ଏକ ଆମ୍ବୁଲାନ୍ସ ଯୋଗେ ଗତକାଲି ରାତିରେ ରାଜୁ ମାଡିଙ୍କ ମୃତଦେହ ଧରି ମାଲକାନଗିରି ଜିଲ୍ଲା ଭେଜାଗୁଡାରେ ପହଞ୍ଚିଥିଲେ। ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକାଇ କେଉଁ କାରଣରୁ ରାଜୁର ମୃତ୍ୟୁ ହୋଇଛି , ପରିବାର ଲୋକଙ୍କୁ ରାଜୁର ସ୍ୱାସ୍ଥ୍ୟ ସମ୍ବନ୍ଧରେ କାହିଁକି ଜଣାଇଲେ ନାହିଁ ଏବଂ ତାହାର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ରାଜୁଙ୍କ ପିତା ରାମ ଓ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏ ସମ୍ବନ୍ଧରେ ପୁଲିସକୁ କୌଣସି ସୂଚନା ଦିଆ ଯାଇ ନଥିବା ଜଣାପଡିଛି।।