ନୂଆଦିଲ୍ଲୀ: କୃଷି ବିିଲକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି। ଦିଲ୍ଲୀରେ କୃଷକ ବିରୋଧ କରୁଥିବାବେଳେ ପଞ୍ଜାବ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଇଣ୍ଡିଆ ଗେଟ ସମ୍ମୁଖରେ ଗୋଟିଏ ଟ୍ରାକ୍ଟର ଜଳାଇ ଦେଇଛନ୍ତି। ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟପଟେ ରାଜପଥରେ ଟ୍ରାକ୍ଟର ଜଳାଇବା ଆରୋପରେ ଦିଲ୍ଲୀ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଯେଉଁମାନେ ନିଆଁ ଲଗାଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୋଡ଼ାଜଳା କରିଥିବା ଲୋକେ ସାଥୀରେ ଭଗତ ସିଂଙ୍କ ପୋଷ୍ଟକାର୍ଡ ଆଣିଥିଲେ। କାର୍ଯ୍ୟକର୍ତ୍ତାମାନେ ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ନାରା ଦେଇଥିଲେ। ପ୍ରଦର୍ଶନକାରୀ ଗୋଟଏ ଟ୍ରକରେ ଟ୍ରାକ୍ଟରଟିକୁ ଆଣି ଇଣ୍ଡିଆ ଗେଟ ପାଖରେ ନିଆଁ ଲଗାଇ ଦେଇଥିଲେ। କଡ଼ା ସୁରକ୍ଷା ଜୋନରେ ଟ୍ରାକ୍ଟରଟିକୁ ଆଣିବା ଓ ସେଥିରେ ନିଆଁ ଲଗାଇବା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି।