୬୧ତମ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ଐତିହାସିକ ସଫଳତା

ଭାରତକୁ ‘ପ୍ୟାଭିଲିୟନ୍‌-ଭିଜିଟର୍ସ ଲାୟନ’ ପୁରସ୍କାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କଳା ଓ ସଂସ୍କୃତି ଜଗତରେ ଭାରତ ହାସଲ କରିଛି ଏକ ଐତିହାସିକ ସଫଳତା। ଇଟାଲୀର ଭେନିସ୍ ଠାରେ ଆୟୋଜିତ ୬୧ତମ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ ‘ଲା ବିଏନାଲେ ଡି ଭେନିସ୍‌-୨୦୨୬’ରେ ଭାରତ ଶ୍ରେଷ୍ଠ ଜାତୀୟ ପ୍ୟାଭିଲିୟନ୍‌- ‘ଭିଜିଟର୍ସ ଲାୟନ୍‌’ ପୁରସ୍କାର ହାସଲ କରିଛି। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଦର୍ଶକଙ୍କ ଭୋଟ୍ ଆଧାରରେ ଭାରତକୁ ଏହି ସମ୍ମାନ ମିଳିଛି। ଭାରତୀୟ କଳାକାରଙ୍କ ସୃଜନଶୀଳତା, ପ୍ରତିଭା ଏବଂ ସାଂସ୍କୃତିକ ଉତ୍କର୍ଷର ଏହା ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କୁହାଯାଇଛି।

ଈଶା ଅମ୍ବାନୀଙ୍କ ପ୍ରତିକ୍ରିୟା

ଏହି ସଫଳତା ସମ୍ପର୍କରେ ମତ ରଖି ସୁଶ୍ରୀ ଈଶା ଅମ୍ବାନୀ କହିଛନ୍ତି, “ଭେନିସ୍ ବିଏନାଲେରେ ଭାରତର ଏହି ସ୍ୱୀକୃତି ଆମ ପାଇଁ ଅତ୍ୟନ୍ତ ଜାତୀୟ ଗର୍ବର ମୁହୂର୍ତ୍ତ। ଭାରତର ଶ୍ରେଷ୍ଠ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସର୍ବଦା ମୋ ମାଆ ଶ୍ରୀମତୀ ନୀତା ଏମ୍‌. ଅମ୍ବାନୀଙ୍କ ସ୍ୱପ୍ନ ଥିଲା। ସେ ଦୃଢ଼ ଭାବେ ବିଶ୍ୱାସ କରୁଥିଲେ ଯେ ଭେନିସ୍ ବିଏନାଲେରେ ଭାରତର ଉପସ୍ଥିତି ରହିବା ଉଚିତ ଏବଂ ସେ ଏହି ଲକ୍ଷ୍ୟକୁ ଦୃଢ଼ ସଂକଳ୍ପ ଓ ନିଷ୍ଠାର ସହ ଆଗେଇ ନେଇଥିଲେ, ଯାହା ଶେଷରେ ଭାରତର ପ୍ରତ୍ୟାବର୍ତ୍ତନକୁ ସମ୍ଭବ କରିପାରିଛି। ସେହି ସ୍ୱପ୍ନ ସାକାର ହେଉଥିବା ଦେଖିବା ଏବଂ ଏଭଳି ଅସାଧାରଣ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇବା ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ସମ୍ମାନ ଆମର ଅସାଧାରଣ କଳାକାର ଏବଂ ଇଣ୍ଡିଆ ପାଭିଲିଅନ୍‌କୁ ସାକାର କରିବାରେ ସାମିଲ ହୋଇଥିବା ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ।’ ଇଶା କହିଛନ୍ତି ଯେ, ଏହି ସମ୍ମାନର ପ୍ରକୃତ ହକ୍‌ଦାର ହେଉଛନ୍ତି ଭାରତର ପ୍ରତିଭାବାନ କଳାକାର ଏବଂ ଏହି ପାଭିଲିୟନ୍‌କୁ ସଫଳ କରିବାରେ ଯୋଗଦାନ ଦେଇଥିବା ସମସ୍ତ ସହଯୋଗୀ।

ଆୟୋଜନ ଓ ଅଂଶଗ୍ରହଣକାରୀ କଳାକାର

ସୂଚନାନୁଯାୟୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍ ସେଣ୍ଟର ଏବଂ ସେରେଣ୍ଡିପିଟି ଆର୍ଟସ୍ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଭାରତୀୟ ପାଭିଲିୟନ୍ ଉପସ୍ଥାପିତ ହୋଇଥିଲା। ଡକ୍ଟର ଅମିନ୍ ଜାଫର ଏହାର କ୍ୟୁରେଟର୍ ଥିଲେ। ପ୍ରଦର୍ଶନୀରେ ଅଲୱାର ବାଲସୁବ୍ରମଣ୍ୟମ୍‌, ରଞ୍ଜନୀ ଶେଟ୍ଟର, ସୁମକ୍ଷୀ ସିଂହ, ସ୍କର୍ମା ସୋନମ୍ ତାଶି ଏବଂ ଅସୀମ୍ ୱାକିଫ୍‌ଙ୍କ ଉଲ୍ଲେଖନୀୟ କଳାକୃତି ସ୍ଥାନ ପାଇଥିଲା। ଭାରତୀୟ କଳାକାର, ସହଯୋଗୀ ଓ ଆୟୋଜକଙ୍କ ସାମୂହିକ ପ୍ରୟାସ ଫଳରେ ଦେଶକୁ ଏହି ଐତିହାସିକ ସଫଳତା ମିଳିଛି। ଏହା ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ କଳା ଓ ସଂସ୍କୃତିର ପରିଚୟକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।