ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସ୍ଥିତ ବରହ୍ମପୁରା ନିକଟରେ ଥିବା ମାୟାବତୀ ନଦୀରୁ ଆଜି ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ସଫିକ ଖାଁ। ସେ ପାଟଣାଗଡ଼ ବାଳିକା ବିଦ୍ୟାଳୟ ନିକଟରେ ୱେଲଡିଂ ମିସ୍ତ୍ରି ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିଲେ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ମାୟାବତୀ ନଦୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଦମକଳ ବାହିନୀକୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦମକଳ ବାହିନୀ କର୍ମଚାରୀ ମୃତ ଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପରେ ପୁଲିସ ଉକ୍ତ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।