ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା କଳିଙ୍ଗନଗର ନିମପଲ୍ଲୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କୁ ବୀଭତ୍ସଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏନେଇ ଯାଜପୁର ଏସପି ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ ଆଜି ନିମପଲ୍ଲୀ ଗ୍ରାମର ଶୌଳ ବାଲମୁଖୀ ଓ ତାଙ୍କ ସ୍ତ୍ରୀ ସମ୍ଭାରୀ ବାଲମୁଖୀଙ୍କୁ ହତ୍ୟା କରାଯିବା ସହ ତାଙ୍କ ଚାଳ ଘରେ ନିଆଁ ଲଗାଇ ଦିଆଯାଇଥିଲା। ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଦମ୍ପତିଙ୍କ ମୃତ ଦେହ ପଦାରେ ପଡ଼ିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଗୁଣିଗାରେଡି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଉଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।