ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ପଣ୍ଡାମୁଣ୍ଡା ଗାଁରେ ଜାଲ ନୋଟ କାରବାର କରୁଥିବା ସମୟରେ ଜଣେ ଯୁବକକୁ ଗାଁଲୋକ ଧରି ପାଟଣାଗଡ଼ ପୁଲିସର ଜିମା ଦେଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, କିଛିଦିନ ହେବ ପଣ୍ଡାମୁଣ୍ଡା ଗାଁରେ ବିଭିନ୍ନ ଦୋକାନ ଓ ମଦ ଭାଟିକୁ ଯାଇ କେତେକ ଯୁବକ ନକଲି ନୋଟ ଦେଇ କିଣାବିକା କରୁଥିଲେ । ଏକ ଲାଲ ରଙ୍ଗର ବାଇକରେ ଆସି ପଣ୍ଡାମୁଣ୍ଡାର ଏକ କିରାନା ଦୋକାନରେ ୩୦ ଟଙ୍କାର ସାମଗ୍ରୀ କିଣି ୨୦୦ ଟଙ୍କା ଦୋକାନୀଙ୍କୁ ଦେଇ ଅବଶିଷ୍ଟ ୧୭୦ ଟଙ୍କା ଫେରାଇ ନେଇଥିଲେ। ପରେ ବିଛିଲିବାହାଳରେ ଥିବା ମଦ ଭାଟିକୁ ଯାଇ ୨୦୦ ଟଙ୍କାର ମଦ ପାଉଚ କିଣିଥିଲେ । ଟଙ୍କା ଦେବା ସମୟରେ ଏହା ଜାଲ ନୋଟ ବୋଲି ଦୋକାନୀ ସନ୍ଦେହ କରିଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ ପଚରାଉଚୁରା ପରେ ସେ ଦୁମେରପଦରର ବୀଣା ଦାସ ବୋଲି ପରିଚୟ ଦେଇଥିଲେ । ଏହି ନୋଟକୁ ସେ ବାବେଜୁରୀର ବଳଦେବ ଭୋଇ ଓ ବିଚ୍ଛିଲି ବାହାଲର କୁସଧ୍ୱଜ ଧରୁଆରୁ ଆଣିଥିଲେ । ପରେ ପଣ୍ଡାମୁଣ୍ଡା ଗାଁଲୋକ ପାଟଣାଗଡ଼ ପୋଲିସକୁ ଖବର ଦେବା ପରେ ଥାନାର ଏଏସଆଇ ସୁଦର୍ଶନ ଦୋରା ଗାଁକୁ ଯାଇ ସମ୍ପୃକ୍ତ ଯୁବକକୁ ଥାନାକୁ ଆଣି ଅଧିକ ପଚରାଉଚୁରା କରି ତା’ଠାରୁ ୪ଟି ଲେଖାଏଁ ୫ଶହ ଓ ୨ଶହ ଜାଲ ନୋଟ ଜବତ କରିଥିବା ଥାନାଧିକାରୀ ଅନନ୍ତ ପ୍ରଧାନ କହିଛନ୍ତି ।