କ୍ୱାରେଣ୍ଟାଇନ ଗୃହରୁ ଯୁବକ ଫେରାର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଆନ୍ଧ୍ର ପ୍ରଦେଶରୁ ଫେରିଥିବା ୧୩ ଜଣ ଶ୍ରମିକଙ୍କୁ ରଖାଯାଇଥିଲା। ତେବେ ସୋମବାର ଏମଭି-୩୧ ଗ୍ରାମରୁ ଜଣେ ବ୍ୟକ୍ତି ସେହି ଫେରନ୍ତା ଶ୍ରମିକମାନଙ୍କ ମଧ୍ୟରେ ଥିବା ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସି କ୍ୱାରେଣ୍ଟାଇନ ରୁମ ଭିତରେ ଥିବା ନିଜ ସମ୍ପର୍କୀୟଙ୍କ ଖଟରେ ବସିରହିଥିଲେ।

ଉକ୍ତ ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନ ସେଣ୍ଟରର ନିୟମ ଉଲ୍ଲଙ୍ଘନ କରିଥିବାରୁ କୋରୁକୋଣ୍ଡା ବିଡ଼ିଓ ଦାଶରଥୀ ସରାବୁ ଉକ୍ତ ବ୍ୟକ୍ତିକୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବାକୁ ପଞ୍ଚାୟତ ଅଧିକାରୀ ବିରାରାମ ଭୁମିଆଁଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ସୋମବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତି ଜଣକ ସେହି କ୍ୱାରେଣ୍ଟାଇନ ସେଣ୍ଟରର ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏ

ନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ମାଲକାନଗିରି ଥାନାକୁ ଉକ୍ତ ବ୍ୟକ୍ତିଙ୍କୁ ଠାବ କରିବା ନିମନ୍ତେ ଅବଗତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେବା ସହ ଉକ୍ତ ବ୍ୟକ୍ତିଙ୍କୁ ଠାବ କରି ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।