ଛାତ୍ରଛାତ୍ରୀ, ଶିକ୍ଷକଙ୍କ ପାଇଁ ଆଇଆଇଏମ୍‍ସିର ଅଭିନବ ପ୍ରୟାସ, ଅନଲାଇନ ପାଠପଢ଼ା ପାଇଁ ଏସ୍‍ଓପି ଉନ୍ମୋଚିତ

ଢେଙ୍କାନାଳ,ଏନ୍ଏନ୍ଏସ୍: କରୋନା ପ୍ରଭାବରେ ସାରା ଦେଶରେ ଲକ୍‍ଡାଉନ ଲାଗୁ ହୋଇଛି । ସ୍କୁଲ, କଲେଜ ଆଦି ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଜ୍ଞାନର ଆଦାନପ୍ରଦାନକୁ ଚାଲୁ ରଖିବା ପାଇଁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡି଼କ ଅନଲାଇନ ଶିକ୍ଷାଦାନ ପଦ୍ଧତିକୁ ଆପଣାଉଛନ୍ତି । ହେଲେ ଅନଲାଇନ ଶିକ୍ଷାଦାନ ଅନେକଙ୍କ ପାଇଁ ନୂଆ ହୋଇଥିବାରୁ ପାଠପଢ଼ା ସମୟରେ ବହୁ ପରିଚାଳନା ଗତ ସମସ୍ୟା ଦେଖାଯାଉଛି । ଏହାକୁ ଆଖିରେ ରଖି ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଏକ ମାନକ ସଞ୍ଚାଳନ ପଦ୍ଧତି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍‍-ଏସ୍‍ଓପି) ପ୍ରକାଶ ପାଇଛି । ଆଜି(ମଙ୍ଗଳବାର) ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଏହି ଏସ୍‍ଓପିର ଇ-ଉନ୍ମୋଚନ କରିଛନ୍ତି ।

ଇଂରାଜୀ ଭାଷା ସମେତ ୪ଟି ଭାରତୀୟ ଭାଷା- ହିନ୍ଦୀ, ଓଡି଼ଆ, ବଙ୍ଗଳା ଓ ତେଲୁଗୁରେ ଏହା ପ୍ରକାଶିତ ହୋଇଛି ।
ଏହି ଅବସରରେ ଡ. ଚାଟାର୍ଜୀ କହିଥିଲେ, ଲକ୍‍ଡାଉନ ସମୟରେ ସବୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଏବେ ପ୍ରାୟ ଗୃହବନ୍ଦୀ । ଏଭଳି ସମୟରେ ପାଠପଢ଼ା ଚାଲୁ ରଖିବା ପାଇଁ ପ୍ରଯୁକ୍ତିବିଦ୍ୟା ଏକ ମାଧ୍ୟମ ହୋଇଛି । ଏହା ଶ୍ରେଣୀ ଗୃହର ବିକଳ୍ପ ହୋଇପାରିବ ନାହିଁ । ତଥାପି ଆଜିର ପରିସ୍ଥିତିରେ ପାଠପଢ଼ା ପାଇଁ ଅନଲାଇନ ଶିକ୍ଷାଦାନ ଏକ ଉତ୍ତମ ମାଧ୍ୟମ । ହେଲେ ଅନଲାଇନରେ ପାଠ ପଢ଼ାଯିବା ସମୟରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୈଷୟିକ ଓ ଅଣବୈଷୟିକ ସ୍ତରରେ ଅସୁବିଧା ହେଉଛି । ଏହାର ସମାଧାନ ପାଇଁ ଅନଲାଇନ ପାଠପଢ଼ା ବେଳେ କ’ଣ କରିବେ, କ’ଣ କରିବେ ନାହିଁ- ସେ ଦିଗରେ ଏସ୍‍ଓପିରେ ଉଲ୍ଲେଖ କରାଯାଇଛି । ଏହାକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅନୁସରଣ କଲେ ଅନଲାଇନ ଶିକ୍ଷା ଫଳପ୍ରଦ ହୋଇପାରିବ । କେବଳ ପାଠପଢ଼ା ନୁହଁ, ଏବେ ବିଭିନ୍ନ ସମ୍ମିଳନୀ ମଧ୍ୟ ଅନଲାଇନରେ ଆୟୋଜିତ ହେଉଛି। ଏସ୍‍ଓପି ଏ ଦିଗରେ ମଧ୍ୟ ସହାୟକ ହେବ ।

ଓଡି଼ଆ ଭାଷାରେ ଏସ୍‍ଓପି ଲେଖିଥିବା ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କହିଥିଲେ, ସହରଠୁ ଗାଁ, ପ୍ରାଥମିକ ସ୍କୁଲଠାରୁ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତେ ଅନଲାଇନ ଶିକ୍ଷାଦାନ ସହ ଯୋଡ଼ି ହୋଇଛନ୍ତି । ହେଲେ ଏନେଇ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ କେହିବି ପ୍ରଶିକ୍ଷିତ ହୋଇନାହାନ୍ତି । ଏସ୍‍ଓପି ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବ।

ଇଂରାଜୀ ଓ ବଙ୍ଗଳା ଭାଷାରେ ଲେଖିଥିବା ସହକାରୀ ପ୍ରଫେସର ସମ୍ବିତ ପାଲ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଏସ୍‍ଓପି କିପରି ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ସୂଚନା ଦେଇଥିଲେ । ଏସ୍‍ଓପିକୁ ତେଲୁଗୁ ଭାଷାରେ ଏକାଡେମିକ ଆସିଷ୍ଟାଣ୍ଟ୍‍ ଦେବେନ୍ଦ୍ର ରାଗୁଲା ଓ ହିନ୍ଦୀ ଭାଷାରେ ଆଇଆଇଏମ୍‍ସିର ଛାତ୍ରୀ ପ୍ରାଚୀ ରାଠୀ ଲେଖିଛନ୍ତି । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ଏହାର ଡିଜାଇନ କରିଛନ୍ତି ।

ଉନ୍ମୋଚନ କାର୍ୟ୍ୟକ୍ରମରେ ସେକ୍ସନ ଅଫିସର କେଦାରନାଥ ଜେନା, ଗ୍ରନ୍ଥାଗାରିକ ଶୁଭଙ୍କରି ଦାସ, ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ଜାଲି ଖବର ଉପରେ ମାର୍ଗଦର୍ଶିକା ପ୍ରକାଶିତ କରି ସାରିଛି। ସେହିପରି ଜାଲିଆନାବାଲାବାଗ ନେଇ ମନୋଗ୍ରାଫ ମଧ୍ୟ ଉନ୍ମୋଚିତ ହୋଇଛି। ଆଗାମୀ ଦିନରେ କରୋନା ସମୟରେ ଗଣମାଧ୍ୟମ ଏବଂ କୃଷି ସାମ୍ବାଦିକତା ଉପରେ ମନୋଗ୍ରାଫ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିବା ସଂସ୍ଥାନର ମୁଖ୍ୟ ପ୍ରଫେସର ଚାଟାର୍ଜୀ ସୂଚନା ଦେଇଛନ୍ତି।