ଛାତ୍ରୀଙ୍କ ସହ ବନ୍ଧୁତା ଓ ପ୍ରେମ ପରେ ପ୍ରତାରଣା କରି ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଜଣେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀଙ୍କ ସହ ବନ୍ଧୁତା, ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ବସ ଯୋଗେ କଲେଜ ଯିବା ସମୟରେ ଦେବଗଡ଼ ପୌରାଞ୍ଚଳ ମ୍ୟୁନିସିପାଲିଟି ସାହିର ଡିଲେଶ୍ୱର ପ୍ରଧାନଙ୍କ ପୁଅ ତୁଷାରକାନ୍ତ ପ୍ରଧାନ(୨୫)ଙ୍କ ସହ ଦେଖାହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ବନ୍ଧୁତାର ସୁଯୋଗରେ ତୁଷାର ବାରମ୍ବାର ଫୋନ ଯୋଗେ ଛାତ୍ରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ।

ଏହି କ୍ରମରେ ଗତ ୨୦୧୯ ମସିହା ଅଗଷ୍ଟ ୨ ତାରିଖ ଦିନ ତାଙ୍କ ଜନ୍ମ ଦିନ ପାଳନ ପାଇଁ ତୁଷାର ନିଜ ରୁମକୁ ବାନ୍ଧବୀ ଛାତ୍ରୀ ଜଣଙ୍କୁ ଡାକିଥିଲେ। ସେଠାରେ ତୁଷାର ବାନ୍ଧବୀଙ୍କ ସହ ବଳ ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଘଟଣାପରେ ଛାତ୍ରୀ ଜଣଙ୍କ ତୁଷାରଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିବାରୁ ତୁଷାର ଗତ ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ଦିନ ଏକ ମିଥ୍ୟା ନୋଟାରୀ ଷ୍ଟାମ୍ପ ପେପରରେ ଛାତ୍ରୀଙ୍କ ଦସ୍ତଖତ ନେଇ ତାଙ୍କୁ ବିବାହ କରିଥିବା ପ୍ରକାଶ କରିଥିଲେ। ପରେ ପୀଡିତା ଜଣଙ୍କ ତାଙ୍କ ସହ ୧୦ ଦିନ ରହିଥିଲେ। ଏହି ରହଣୀ ମଧ୍ୟରେ ତୁଷାର ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ପରେ ତୁଷାର ପୀଡିତାଙ୍କୁ ନିଜ ଘରକୁ ନେବାକୁ କହି ଗାଡିରେ ଆଣି ଅନଗୁଳ ଜିଲ୍ଲାରେ ଥିବା ପୀଡ଼ିତାଙ୍କ ଗ୍ରାମ ନିକଟ ଛକରେ ଛାଡି ଚାଲି ଯାଇଥିଲେ। ପୀଡିତା ଛାତ୍ରୀ ଜଣଙ୍କ ପ୍ରତାରଣାର ଶିକାର ହୋଇଥିବା ଜାଣି ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ସମସ୍ତ କଥା ପ୍ରକାଶ କରିଥିଲେ। ଝିଅ ଠାରୁ ସମସ୍ତ ବିଷୟ ଜାଣିବା ପରେ ପରିବାର ଲୋକେ ପୀଡ଼ିତା ଛାତ୍ରୀଙ୍କୁ ଧରି ଦେବଗଡ଼ ସ୍ଥିତ ତୁଷାରଙ୍କ ଘରକୁ ଆସିଥିଲେ ମଧ୍ୟ ତୁଷାରକୁ ପାଇ ନଥିଲେ।

ପରେ ପରିବାର ଲୋକେ ତୁଷାରଙ୍କ ବାପା ଡିଲେଶ୍ୱରଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ଡିଲେଶ୍ୱର ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇ ଘରୁ ତଡି ଦେଇଥିଲେ। ଫଳରେ ପୀଡିତା ଜଣଙ୍କ ନିରାଶ ହୋଇ ଦେବଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଉଭୟ ବାପ ପୁଅଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ତୁଷାରକୁ ଗିରଫ କରିଥିବା ଜଣାପଡ଼ିଛି।