୨ ବର୍ଷ ଶିଶୁର ଚିକିତ୍ସା ପାଇଁ ସହାୟତା କରିବାକୁ ଟୁଇଟ କଲେ ଯୁବ ଆଇନଜୀବୀ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ସହରର ୨ ବର୍ଷର ଶିଶୁ ସ୍ୱରୂପ ମିଶ୍ରର ଚିକିତ୍ସା ପାଇଁ ସହାୟତା କରିବାକୁ ଯୁବ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ଟୁଇର କରି ନିବେଦନ କରିଛନ୍ତି। ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ସଂସ୍ଥାକୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି। ଛୁଆଟି ବେଳୁ ଦୁରାରୋଗ୍ୟ ଥାଲାସେମିଆରେ ଶିଶୁଟି ଆକ୍ରାନ୍ତ ହୋଇଥିବା ବେଳେ ଏନେଇ ପିତା ପିତା ରଶ୍ମିରଞ୍ଜନ ମିଶ୍ର ଓ ମାତା ପୂଜା ପଣ୍ଡାଙ୍କ ଆଖିରୁ ଲୁହ ଶୁଖୁନି। ପିତା ବିଦ୍ୟୁତ ବିଭାଗର କର୍ମଚାରୀ ହୋଇଥିବା ବେଳେ ମାତା ଜଣେ ଡାକ ବିଭାଗର କର୍ମଚାରୀ। ପୁଅର ଚିକିତ୍ସା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବେଙ୍ଗାଲୁରୁ ସ୍ଥିତ ଏକ ମେଡ଼ିକାଲ ତରଫରୁ କୁହାଯାଇଛି। ଏନେଇ ବର୍ତ୍ତମାନ ପିତା-ମାତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ନବରଙ୍ଗପୁର ସହରର ଚାଉଁରିଆଗୁଡାରେ ରହୁଥିବା ଏହି ଦମ୍ପତ୍ତି ବର୍ତ୍ତମାନ ସରକାରୀ ସହାୟତା ଆଉ କିଛି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଅପେକ୍ଷାରେ। ଏହାକୁ ନେଇ ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ସରକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କଲେ ଏକ ନିରୀହ ଛୋଟ ପିଲାର ଜୀବନ ବଞ୍ଚିଯିବ ବୋଲି ପିତା-ମାତା ତଥା ସ୍ଥାନୀୟ ଲୋକମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।