ଜେଏନଭି ଭୋପାଳ ରିଜିଅନ ଚେସ୍‌ ପ୍ରତିଯୋଗିତା; ୭୫ ପଏଣ୍ଟ ସହ ଶୀର୍ଷରେ ଓଡିଶା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳ ରିଜିଅନ ପକ୍ଷରୁ ୩ ଦିନିଆ ଆଞ୍ଚଳିକ ଚେସ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ ପୂର୍ବକ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଯାପିତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ ପ୍ରସାଦଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବଲବୀର କିଣ୍ଡୋ, ଦିନେଶ ତ୍ରିବେଦୀ, କ୍ରୀଡା ଶିକ୍ଷକ ସୁଜିତ କୁମାର ସାମଲ ଓ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ଓଡିଶା, ମଧ୍ୟପ୍ରଦେଶ ଓ ଛତିଶଗଡରୁ ମୋଟ ୯୬ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୭୫ ପଏଣ୍ଟ ସହ ଶୀର୍ଷରେ ଓଡିଶା ରହିଛି। ସେହିପରି ମଧ୍ୟପ୍ରଦେଶ(୨) ୬୩ ପଏଣ୍ଟ ସହ ଦ୍ଵିତୀୟ, ମଧ୍ୟପ୍ରଦେଶ(୩) ଓ ଛତିଶଗଡ ୫୧ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡିଛି।