ସଡ଼କ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଝରିଗାଁ,ଏନ୍ଏନ୍ଏସ୍: ଗତକାଲି ସନ୍ଧ୍ୟାରେ ଝରିଗାଁ ପାର୍କ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଚକ୍ର ସାନ୍ତା ନାମକ ଯୁବକର ମୃତ୍ୟୁ ହୋଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲା। ତେବେ ଗରିବ ପରିବାରକୁ ଆର୍ଥିକ ସହାୟତା ଦାବି କରି ଆଜି ଝରିଗାଁ ହାଇସ୍କୁଲ ନିକଟରେ ରାସ୍ତା ଉପରେ ଶବ ରଖି ଉମରକୋଟ-ଚଣ୍ଡାହାଣ୍ଡି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ।

ବୁଧବାର ସନ୍ଧ୍ୟାରେ ଚଣ୍ଡାହାଣ୍ଡି ପଟୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଇନୋଭା ଗାଡି(ଓଡ଼ି-୩୩ଏ-୨୬୦୧) ଝରିଗାଁ ଅଭିମୁଖେ ଆସୁଥିଲା। ଏହି ସମୟରେ ଅନ୍ୟପଟୁ ବଡ଼ମୁଣ୍ଡି ଗ୍ରାମର ଦୁଇ ଭାଇ ଚକ୍ର ସାନ୍ତା(୨୭)ଏବଂ ରବି ସାନ୍ତା(୨୫ ) (ଓଡ଼ି-୨୪ବି-୬୨୭୯) ବାଇକରେ ନିଜ ଘରକୁ ଯାଉଥିଲେ। ଝରିଗାଁ ସ୍ଥିତ ମନୋରଞ୍ଜନ ଉଦ୍ୟାନ ପାଖରେ ଇନଭା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଚକ୍ର ସାନ୍ତାର ମୃତ୍ୟୁ ହୋଇଥିବାବେଳେ ରବି ସାନ୍ତାକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଥିଲା।

ଚକ୍ର ସାନ୍ତା ଗତବର୍ଷ ବିବାହ କରିଥିଲେ। ମୃତ୍ୟୁ ପରେ ସ୍ତ୍ରୀ’ର ଭରଣପୋଷଣ ଚିନ୍ତାରେ ବୁଢ଼ା ବାପା-ମାଆ। ଏହି ଗରିବ ପରିବାରକୁ କ୍ଷତି ପୂରଣ ଦାବିକରି ଦୀର୍ଘ ୨ ଘଣ୍ଟା ରାସ୍ତା ଅବରୋଧ ପରେ ଗାଡ଼ି ମାଲିକ ତଥା ପୂର୍ବତନ ସାଂସଦଙ୍କ କିଛି ସମର୍ଥକ ଘଟଣାସ୍ଥଳକୁ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଫୋନରେ ପୂର୍ବତନ ସାଂସଦଙ୍କ ସହିତ ଯୋଗାଯୋଗ କରାଇ ଆର୍ଥିକ ସହାୟତା ଏବଂ ଦୁର୍ଘଟଣା ଜନିତ ବୀମାରାଶି ମିଳିବାରେ ସହାୟତା କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।