ପୋଖରୀରେ ବୁଡି ଯୁବକ ମୃତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଆଜି ଏକ ଯୁବକର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଉକ୍ତ ଗ୍ରାମର ନବୀନ ସାହୁ(୨୬)। ସେ ଆଜି ସକାଳେ ସ୍ଥାନୀୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇ ତାଙ୍କ ମୃତ୍ୟୁ ହୋଇଥିଲା। ବିଳମ୍ବ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଶେଷରେ ପୋଖରୀ ତାଙ୍କ ମୃତ ଦେହ ଭାସୁଥିବା ଦେଖିଥିଲେ।

ନବୀନଙ୍କ କାକା ପ୍ରକାଶ ସାହୁ ଆମ୍ବୁଲାନ୍ସ ଓ ବଡ଼ମାଲ ପୁଲିସକୁ ସୂଚନା ଦେଇଥିଲେ। ବଡ଼ମାଲ ଫାଣ୍ଡି ଅଧିକାରୀ କୁନୁ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛନ୍ତି। ତେବେ ନବୀନ ତାଙ୍କ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କର ମା, ବାପା ଓ ସାନ ଭଉଣୀ ଅଛନ୍ତି। ଫଳରେ ପରିବାରକୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।