ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମର ଜଣେ ଯୁବକ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମର ନିଶାକର ବେହେରାଙ୍କ ପୁଅ ଦିଲୁ ବେହେରା ଗତକାଲି ନିଜ ବାଇକ (ଓଆର-୧୫ଜେ-୫୨୫୦) ଯୋଗେ ପାଣ୍ଡୁରିଶିଳା ଗ୍ରାମରୁ ଟିଙ୍କବିର ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ଫେରିବା ବାଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ତାଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଚିକିତ୍ସିତ ହେବା ପରେ ଦିଲୁ ନିଜ ଘରକୁ ଚାଲି ଯାଇଥିଲେ। ମାତ୍ର କିଛି ସମୟପରେ ଦିଲୁ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପୁଣି ଥରେ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।