ଦୁଷ୍କର୍ମ ପରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବାପ ଓ ପୁଅ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନାଞ୍ଚଳର ଜଣେ ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ ପରେ ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗରେ ଆଜି ଦେବଗଡ଼ ଥାନା ପୁଲିସ ଅଭିଯୁକ୍ତ ପୁଅ ଓ ବାପକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ୨୦୧୭ ମସିହାରେ ଦେବଗଡ଼ ଥାନାଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସିହିଡ଼ିଆ ଗ୍ରାମର ଦୂଷିଆ ପାତ୍ରଙ୍କ ପୁଅ ଲିଙ୍ଗରାଜ ପାତ୍ର ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଇତିମଧ୍ୟରେ ଯୁବତୀ ଜଣକ ବିବାହ ପାଇଁ ଜିଦ ଧରିବାରୁ କୋର୍ଟରେ ବିବାହ ପାଇଁ ଆବେଦନ କରିଥିବା ଲିଙ୍ଗରାଜ କହିଥିଲେ। ତେବେ ଗତ ୨ ତାରିଖରେ ଅଭିଯୁକ୍ତ ଲିଙ୍ଗରାଜ ପୀଡ଼ିତାଙ୍କୁ ନିଜ ଘରେ ନେଇ ରଖିବା ପରେ ୪-୫ ଦିନ ପରଠାରୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏପରିକି ଅଭିଯୁକ୍ତ ଲିଙ୍ଗରାଜର ବାପା ଦୂଷିଆ ମଧ୍ୟ ପୀଡ଼ିତାଙ୍କୁ ବହୁ ନିର୍ଯ୍ୟାତନା ଦେବାସହ ପୁଅ ସହ ମିଶି ବଳପୂର୍ବକ ଔଷଧ ଖୁଆଇ ଗର୍ଭ ନଷ୍ଟ କରି ପରେ ଘରୁ ତଡ଼ି ଦେଇଥିଲେ। ଫଳରେ ପୀଡ଼ିତା ନିରୁପାୟ ହୋଇ ବାପାଙ୍କ ଘରକୁ ଫେରି ଆସିଥିଲେ ମଧ୍ୟ ପରିବାର ଲୋକେ ଘରେ ନ ପୁରେଇବାରୁ ସେ ବାଧ୍ୟ ହୋଇ ଏଣେତେଣେ ଆଶ୍ରୟ ନେଉଥିଲେ। ପରେ ଏନେଇ ପୀଡ଼ିତା ଜଣକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ। ପୀଡ଼ିତାଙ୍କ ରିପୋର୍ଟ ଆଧାରରେ ଦେବଗଡ଼ ଥାନା ପୁଲିସ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ଗତକାଲି ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।