ଦେବଗଡ଼,ଏନ୍ଏନ୍ଏସ୍ : ରିଆମାଳ ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ବ୍ୟାଙ୍କ ମ୍ୟାଚୁରିଟି ଟଙ୍କାକୁ ହାତେଇବା ପାଇଁ ସ୍ତ୍ରୀ ଓ ୩ ପୁଅଙ୍କ ଚକ୍ରାନ୍ତ ବିଫଳ ହୋଇଛି। ଟଙ୍କା ପାଇଁ ସ୍ତ୍ରୀ ଓ ୩ ପୁଅ ମିଶି ପଞ୍ଚାନନ ବେହେରା (୬୬) ନାମକ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ରାତିସାରା ମରଣାନ୍ତକ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଉକ୍ତ ବୃଦ୍ଧଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଘରର ଏକ ଅନ୍ଧାରୁଆ କୋଠରୀରେ ହାତଗୋଡ଼ ଓ ମୁହଁ ବାନ୍ଧି ଅଟକ ରଖିଥିବା ନେଇ ପୀଡ଼ିତ ବୃଦ୍ଧ ଆଜି ବୟାନ ଦେଇଛନ୍ତି। ତେବେ ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରାଙ୍କ ସମୟପଯୋଗୀ ପଦକ୍ଷେପ ଯୋଗୁ ପୀଡିତ ବୃଦ୍ଧ ଜଣକ ସମ୍ଭାବ୍ୟ ମୃତ୍ୟୁରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ପୁରୁମୁଣ୍ଡା ଗ୍ରାମର ପଞ୍ଚାନନ ବେହେରାଙ୍କ ଏକ ବ୍ୟାଙ୍କ ଜମା ମ୍ୟାଚୁରିଟି ଅର୍ଥକୁ ନେଇ ତାଙ୍କ ସ୍ତ୍ରୀ ଓ ୩ ପୁଅ ଭାଗ ମାଗିଥିଲେ। ମାତ୍ର ପଞ୍ଚାନନ ସେମାନଙ୍କ କଥାରେ ରାଜି ନହେବାରୁ ଗତ ରବିବାର ରାତିରେ ସ୍ତ୍ରୀଙ୍କ ଉପସ୍ଥିତିରେ ୩ ପୁଅ କେଶବ ବେହେରା, ଟିକେଶ୍ୱର ବେହେରା ଓ ଫରେନ ବେହେରା ତାଙ୍କ ହାତଗୋଡ଼ ଓ ପାଟିକୁ ବାନ୍ଧି ଏକ ପଥର ସାହାଯ୍ୟରେ କିଛି କିଛି ସମୟ ବ୍ୟବଧାନରେ ନିସ୍ତୁକ ପିଟି ରକ୍ତାକ୍ତ କରିଦେଇଥିଲେ। ମାତ୍ର ପଞ୍ଚାନନ ନିଜ ଜିଦରେ ଅଟଳ ରହିବାରୁ ଘରର ଏକ ଅନ୍ଧାରୁଆ କୋଠରୀରେ ବନ୍ଦ କରିବା ସହ ହତ୍ୟା ପାଇଁ ଯୋଜନା କରିଥିଲେ। ପାଖ ପଡୋଶୀଙ୍କଠାରୁ ସୂଚନା ପାଇ ସକାଳ ପ୍ରାୟ ୮ଟା ସମୟରେ ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବଡ଼ପୁଅ କେଶବକୁ ବାପା ପଞ୍ଚାନନଙ୍କ ଅବସ୍ଥିତି ସମ୍ପର୍କରେ ପଚାରିବାରୁ ସେ ପୁଲିସକୁ ଭୁଲ ତଥ୍ୟ ଦେଇ ଫେରାଇ ଦେଇଥିଲେ। ତେବେ ପୀଡିତ ପଞ୍ଚାନନଙ୍କ ଜଣେ ସମ୍ପର୍କୀୟଙ୍କଠାରୁ ସଠିକ ତଥ୍ୟ ସଂଗ୍ରହ କରି ଥାନାଧିକାରୀ ଶ୍ରୀ ବେହେରା ଉକ୍ତ ଘରେ ଚଢ଼ଉ କରି ବୃଦ୍ଧ ପଞ୍ଚାନନଙ୍କୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରିଥିଲେ। ଏଥିସହ ଅଭିଯୁକ୍ତ ୩ ପୁଅଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ଗୁରୁତର ପଞ୍ଚାନନଙ୍କୁ ପଚରାଉଚୁରା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ପରେ ପଞ୍ଚାନନଙ୍କ ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ଆଜି ୩ ପୁଅଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।