କୃଷକ ଏମିତି ସହରକୁ ବନ୍ଧକ ରଖିବା ଠିକ୍ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଆଜିର ଶୁଣାଣି ଶେଷ କରିଛନ୍ତି। ଦୁଇ ଦିନର ଶୁଣାଣି ମଧ୍ୟରେ ବି ସର୍ବୋଚ୍ଚ ନ୍ୟାୟଳୟ କୌଣସି ଫଇସଲାରେ ପହଞ୍ଚି ପାରିନାହାନ୍ତି। ଆଜିର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଯଦି ଆପଣ ଆଶ୍ୱାସନା ଦିଅନ୍ତି କି ସୁପ୍ରିମକୋର୍ଟର ଶୁଣାଣି ପର୍ଯ୍ୟନ୍ତ ନୂଆ ଆଇନ ଲାଗୁ କରିବେନି ତେବେ କୌଣସି ସମାଧାନର ବାଟ ବାହାରି ପାରିବ। ଏନେଇ ସରକାରଙ୍କ ସହ ଆଲୋଚନା କରିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣୀ ଜେନେରାଲ କହିଛନ୍ତି।

ଅନ୍ୟପଟେ କୃଷକଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୋଟିଏ ପ୍ରଦର୍ଶନକୁ ସେତେବେଳେ ସାମ୍ବିଧାନିକ କୁହାଯିବ ଯେତେବେଳେ ତାହା କାହାରିକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏମିତି ସହରକୁ ବନ୍ଧକ ରଖିବା ଠିକ୍ ନୁହେଁ। କେନ୍ଦ୍ର ଓ କୃଷକ କଥା ହେବା ଦରକାର। ଏକ ସ୍ୱତନ୍ତ୍ର କମିଟି ଗଠନ କରି ଉଭୟ ପକ୍ଷ ସେଠାରେ ନିଜ ନିଜ ପକ୍ଷ ରଖିବା ଉଚିତ। ସ୍ୱତନ୍ତ୍ର କମିଟିରେ ସାଇନାଥ, ଭାରତୀୟ କୃଷକ ୟୁନିୟନ ଓ ଅନ୍ୟ ସଦସ୍ୟ ରହିପାରିବେ। କୃଷକ ଏମିତି ହିଂସା କରିପାରିବେ ନାହିଁ କି ସହରକୁ ବନ୍ଧକ ରଖିପାରିବେ ନାହିଁ।