ବାଙ୍ଗାଲୁରୁ ଓ ମୁମ୍ବାଇକୁ ଖୁବଶୀଘ୍ର ଆରମ୍ଭ ହେବ ବିମାନ ସେବା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୁରୁ ଓ ମୁମ୍ବାଇକୁ ଏବେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବ। କେବଳ ଆବଶ୍ୟକ ସଂଖ୍ୟକ ଫୟାରମେନ ନଥିବାରୁ ଏହି ୨ ପ୍ରମୁଖ ସହରକୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ ହୋଇ ପାରୁନଥିଲା। ତେବେ ଗତ ୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖି ଆବଶ୍ୟକ ଫାୟରମୟାନ ଯୋଗାଇବାକୁ ଅନୁରୋଧ କରିଥିଲେ। ପରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ସଚିବ ଏମ କେ ସ୍ୱାଇଁ ପତ୍ର ସଂଖ୍ୟା ୩୯୭୮୬ ଜରିଆରେ ଝାରସୁଗୁଡ଼ା ବିମାନ ବନ୍ଦରରେ ତୁରନ୍ତ ୧୯ଜଣ ଅଗ୍ନିଶମ କର୍ମଚାରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରର ସୁପରିଚାଳନା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ତୁରନ୍ତ ଆହୁରି ୧୯ଜଣ ଅଗ୍ନିଶମ କର୍ମଚାରୀ ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ପ୍ରକାଶଯୋଗ୍ୟ, ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଭିନ୍ନ ସ୍ଥାନକୁ ଏବେ ଏଟିଆର ୭୨ ବିମାନ ଚଳାଚଳ କରୁଛି। ହେଲେ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବାକୁ ହେଲେ ମୋଟ ୪୨ଜଣ ଅଗ୍ନିଶମ କର୍ମଚାରୀଙ୍କ ଅବଶ୍ୟକତା ରହିଥିଲା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବର୍ତ୍ତମାନ ୨୩ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି। ଆହୁରି ୧୯ ଜଣ ଅଗ୍ନିଶମ କର୍ମଚାରୀଙ୍କ ଅଭାବ ଥିବାରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଏୟାର ବସ ଏ-୩୨୦ ଅବତରଣ ଓ ଉଡ଼ାଣ ପାଇଁ ଡିଜିସିଏ ଅନୁମତି ପ୍ରଦାନ କରିନଥିଲା। ତେବେ ରାଜ୍ୟ ସରକାର ଏହି ଖାଲିଥିବା ଅଗ୍ନିଶମ କର୍ମଚାରୀଙ୍କ ପଦବୀ ପୁରଣ ପାଇଁ ନିଷ୍ପତ୍ତି ନେବା ପରେ ଏବେ ଝାରସୁଗୁଡ଼ାରୁ ବାଙ୍ଗାଲୁରୁ ଓ ମୁମ୍ବାଇକୁ ବିମାନ ଚଳାଚଳର ବାଟ ଫିଟିଛି।