ଦେଓଗାଁ,ଏନ୍ଏନ୍ଏସ୍: ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରିବା ପରେ ବ୍ଲକ୍ ପ୍ରଶାସନ ପଞ୍ଚାୟତ ମୁଖ୍ୟାଳୟ ଗୁଡିକରେ ଗୋଷ୍ଠୀ ପାଇଖାନା ନିର୍ମାଣ କରିଛି। ହେଲେ ଏହି ପାଇଖାନା ଗୁଡିକ ବ୍ୟବହାର ଉପଯୋଗୀ ନହୋଇ ନିମ୍ନ ମାନର କାମ ହେଇଥିବାରୁ ବ୍ଲକ୍ର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୧୨ଟି ଗୋଷ୍ଠୀ ପାଇଖାନାରେ ତାଲା ଝୁଲୁଥିବାର ଅଭିଯୋଗ ହେଉଛି। କାହା ସ୍ଵାର୍ଥରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗୁଡଭେଲା ବ୍ଲକ୍ରେ ଥିବା ୧୩ ପଞ୍ଚାୟତରେ ଗୋଷ୍ଠୀ ପାଇଖାନା ନିର୍ମାଣ ହୋଇଛି। କେଉଁଠି ଟାଙ୍କି ନିର୍ମାଣ ହୋଇନି ତ ପୁଣି କେଉଁଠି ପାଣି ଯିବାର ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳିଛି।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଆମେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଡାହିମାଳ ଛକରେ ନିର୍ମାଣ ହୋଇଥିବା ପାଇଖାନାକୁ ଅନୁଧ୍ୟାନ କରିଥିଲୁ। ଗୁଡ଼ଭେଳା ପଞ୍ଚାୟତ ସମିତି ପକ୍ଷରୁ ୨୦୨୦-୨୦ ଆର୍ଥିକ ବର୍ଷରେ ସ୍ବଚ୍ଛ ଭାରତ ମିଶନରୁ ୨.୧୦ ଲକ୍ଷ ଓ ପଞ୍ଚଦଶ ଅର୍ଥ କମିଶନରୁ ୯୦ ହଜାର ସହ ମୋଟ ୩ ଲକ୍ଷରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ନିର୍ମାଣ ବର୍ଷେ ବିତିଯାଇଥିଲେ ବି ବ୍ୟବହାର ଉପଯୋଗୀ ହୋଇନାହିଁ। ନିର୍ମାଣ କରିଥିବା ପାଇଖାନା ଲୋକଙ୍କ ବ୍ୟବହାର ନଲାଗି ଭୂତ କୋଠି ପାଲଟିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ଖାଲି ଏହି ଗୋଟିଏ ପାଇଖାନା ନୁହେଁ ବ୍ଲକ୍ର ଅନ୍ୟ ପଞ୍ଚାୟତ ଗୁଡ଼ିକରେ ଥିବା ପାଇଖାନାର ବି ସମାନ ଅବସ୍ଥା। ଏଣୁ ନିର୍ମାଣ ହୋଇଥିବା ପାଇଖାନା ଗୁଡିକୁ ବ୍ୟବହାର ଉପଯୋଗୀ କରିବାକୁ ସାଧାରଣରେ ଦାବି ହେଉଛି।