ଓପନ୍ ଚେସ୍‌ରେ ମହେନ୍ଦ୍ର ଚାମ୍ପିଅନ୍

ଭୁବନେଶ୍ୱର,ଏଜେନ୍ସି: ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏସନ୍ (ଓଏସ୍‌ସିଏ) ପକ୍ଷରୁ ନିକଟରେ ଅନ୍‌ଲାଇନ୍ ଓପନ୍ ଚେସ୍ ଚାମ୍ପିଅନ୍‌ଶିପ୍‌ରେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରସ୍ଥିତ ଶ୍ରୀ ଚୈତନ୍ୟ ଟେକ୍‌ନୋ ସ୍କୁଲ୍‌ର ମହେନ୍ଦ୍ର ତେଜା ମେକଲା ଚାମ୍ପିଅନ୍ ହୋଇଛନ୍ତି। ସେ ସାଢ଼େ ୫ ପଏଣ୍ଟ୍ ପାଇ ବୁକୋଲ୍‌ଜ ପଦ୍ଧତି ମାଧ୍ୟମରେ ଶୀର୍ଷରେ ରହିଥିବା ବେଳେ ଗୁଜରାଟର ଟପ୍ ସିଡ୍ ଖେଳାଳି ଅନାଦକତ୍ କର୍ତ୍ତବ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି କଟକର ରବୀନ୍ଦ୍ର କୁମାର ଓଝା, ଭୁବନେଶ୍ୱରର ଓମ୍ ଆଦିତ୍ୟ ଖାଡଙ୍ଗା ଓ ସଞ୍ଜୀବନ ନାୟକ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିପରି ୯, ୧୧ ଓ ୧୩ ବର୍ଷରୁ କମ୍ ବର୍ଗରେ ଯଥାକ୍ରମେ ମୌଖିକ ନାୟକ, ବିନାୟକ କୁମାର ସାମଲ ଓ ଅଂଶୁମାନ ପତି ସ୍ୱତନ୍ତ୍ର ପୁରସ୍କାର ଲାଭ କରିଛନ୍ତି। ଏହାଛଡ଼ା ବାଳିକା ବିଭାଗରେ ପୁଣେର ପି. ନନ୍ଦିନୀ ପୁରସ୍କୃତ ହୋଇଥିବା ବେଳେ ଭୁବନେଶ୍ୱରର ସ୍ନେହାଞ୍ଜଳି ପ୍ରଧାନ ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନନ୍ତି। ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଡ୍ରିମ୍‌ଜ ଇକମର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଚିତ୍ତରଞ୍ଜନ ଦେବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରାଇଡେଣ୍ଟ୍ ଏକାଡେମୀ ଅଫ୍ କ୍ରିଏଟିଭ୍ ଟେକ୍‌ନୋଲୋଜିର ବିବିଏ ବିଭାଗର ମୁଖ୍ୟ ଡ. ନର୍ଗିସ୍ ବେଗମ୍ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଓଏସ୍‌ସିଏ ଉପସଭାପତି ଡ. ବିମଳ ପ୍ରସାଦ ମହାନ୍ତି ଓ ଚିଫ୍ ଆର୍ବିଟର୍ ଦେବାଶିଷ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ।