ରାସ୍ତା କଡରେ ନିଶା ସେବନ କରୁଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍‌ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରାସ୍ତା କଡରେ ମଦ୍ୟପାନ କରିବା ସହ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ନେଇ ରିଆମାଳ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ମହୁଲପାଳ ଗ୍ରାମର ଗୋବିନ୍ଦ ଚନ୍ଦ୍ର ବେହେରା ଆଜି ଅପରାହ୍ନରେ ଷ୍ଟେଟ ବ୍ୟାଙ୍କକୁ ଯାଉଥିବା ସମୟରେ ରିଆମାଳ ବ୍ଲକ୍‌ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବସ୍ତିଆ, ସଞ୍ଜୟ ଟୀଗା, ବିଭୂତୀ ବେହେରା ଓ ସହକାରୀ ଯନ୍ତ୍ରୀ ଜୁଆରୁ ଏକ୍କା ପ୍ରମୁଖ ବ୍ଲକ୍‌ ପାଚେରୀ କଡରେ ମଦ୍ୟ ପାନ କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଗୋବିନ୍ଦଙ୍କୁ ଉପରୋକ୍ତ ଯନ୍ତ୍ରୀ ମାନେ ଆକ୍ଷେପ କରି ବିଭିନ୍ନ ଆଶ୍ରବ୍ୟ ଗାଳି ଗୁଲଜ କରିଥିଲେ।

ଗୋବିନ୍ଦ ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ଯନ୍ତ୍ରୀ ମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଗୋବିନ୍ଦ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଟୀଗା ମଧ୍ୟ ଗୋବିନ୍ଦ ତାଙ୍କୁ ଜାତିଆଣ ଆକ୍ଷେପ କରି ମାଡ ମାରିଥିବା ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉଭୟ ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।