ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଯଶସ୍ୱୀଙ୍କ ପ୍ରାକ୍ଟିସ ଆରମ୍ଭ, ବିରାଟଙ୍କଠୁ ଟିପ୍ସ ନେବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଜୁନ ୭ରୁ ଆରମ୍ଭ ହେବାକୁ ଥିବା ମୁକାବିଲା ଲାଗି ଭାରତର ଅଧିକାଂଶ ଖେଳାଳି ଲଣ୍ଡନ ପହଞ୍ଚି ସାରିଛନ୍ତି । ଏହି ମୁକାବିଲା ଲାଗି ଯୁବ ଖେଳାଳୀ ତଥା ଆଇପିଏଲରେ ନିଜର ଜବରଦସ୍ତ ପ୍ରଦର୍ଶନ ବଳରେ ଯଶସ୍ୱୀ ଜେସୱାଲ ଟିମରେ ଷ୍ଟାଣ୍ଡବାୟ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଛନ୍ତି । ଯଶସ୍ୱୀ ପ୍ରଥମଥର ପାଇଁ ସିନିୟର ଟିମରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଯଶସ୍ୱୀ ପ୍ରାକ୍ଟିସ ସମୟରେ ବିରାଟ କୋହଲୀଙ୍କଠାରୁ ଟିପ୍ସ ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ଯଶସ୍ୱୀ ଜେସୱାଲ ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ୧୪ ମ୍ୟାଚରେ ୬୨୫ ରନ୍ କରିବାରେ ସଫଳ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ଘରୋଇ ମ୍ୟାଚରେ ମଧ୍ୟ ଯଶସ୍ୱୀ ଭଲ ପ୍ରଦର୍ଶନ କରିଛନ୍ତି । ସେ ଫାଷ୍ଟ କ୍ଲାସ ମ୍ୟାଚର ୨୬ ପାଳିରେ ୧୮୪୫ ରନ୍ କରିଛନ୍ତି । ଏଥିରେ ୯ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ରହିଛି ।