ଦେବଗଡ଼,ଏନ୍ଏନ୍ଏସ୍: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ରିଆମାଳ ଥାନା ଅନ୍ତର୍ଗତ ଜୁଲାଣି ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ରିଆମାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ଓ ପକ୍ସ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଅଭିଯୁକ୍ତ ଭିଲିଆନ କେରକେଟ୍ଟା ଚଛୁପାଲି ଗ୍ରାମରୁ ଜୁଲାଣି ଗ୍ରାମକୁ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲା । ବିଳମ୍ବିତ ରାତିରେ ସମ୍ପର୍କୀୟ ନାବାଳିକା ଘର ବାରଣ୍ଡାରେ ଶୋଇଥିବାବେଳେ ଅଭିଯୁକ୍ତ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏନେଇ ଗତକାଲି ପୀଡ଼ିତା ନାବାଳିକା ନିଜ ପିତାଙ୍କ ସହ ରିଆମାଳ ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ରିଆମାଳ ଥାନା ପୁଲିସ ଗିରଫ କରିଛି । ଡାକ୍ତରୀ ମାଇନା ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।