ଜାତୀୟ ରେସଲର ନିଶା ଦାହିଆଙ୍କ ମୃତ୍ୟୁ ଖବର ଗୁଜବ: ଭିଡିଓ ଜାରି କରି କହିଲେ-‘ମୁଁ ବଞ୍ଚିଛି’

ସୋନିପତ,ଏଜେନ୍ସି: ହରିୟାଣାର ସୋନିପତରେ ଜାତୀୟସ୍ତରର ରେସଲର ନିଶା ଦାହିଆଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ଗୁଜବ ଅଟେ। ନିଶା ନିଜେ ଏକ ଭିଡିଓ ଜାରି କରି ଏହି ଖବରକୁ ଗୁଜବ ବୋଲି କହିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ଆକ୍ରମଣକାରୀ ନିଶାଙ୍କ ସହ ତାଙ୍କ ଭାଇଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଖବରରେ ଦାବି କରାଯାଇଥିଲା ଯେ ହମଲାରେ ନିଶାଙ୍କ ମା’ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ପରେ ନିଶା ଓ ପୂର୍ବତନ ଅଲିମ୍ପିକ ମେଡଲିଷ୍ଟ ସାକ୍ଷୀ ମଲିକ ଏହି ଖବରକୁ ମିଛ ବୋଲି କହିଛନ୍ତି। ରେସଲିଙ୍ଗ ଫେଡେରେସନ ନିଶାଙ୍କ ଏକ ଭିଡିଓ ଜାରି କରିଛି। ସାକ୍ଷୀ ମଧ୍ୟ ନିଶାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ଏହା ପୂର୍ବରୁ ଏକ ଖବରରେ ଦାବି କରାଯାଇଥିଲା ଯେ ସୋନିପତ ହଲାଲପୁର ଗାଁରେ ସୁଶୀଲ କୁମାରଙ୍କ ନାଁରେ ଏକ ରେସଲିଙ୍ଗ ଏକାଡେମୀ ଅଛି ଯେଉଁଠି ନିଶା, ତାଙ୍କ ଭାଇ ଓ ମା’ଙ୍କୁ ହମଲା କରାଯାଇଥିଲା।