କରୋନା ଟିକା ନେଇନଥିଲେ ମିଳିବନି ରାସନ ଓ ପେଟ୍ରୋଲ, ପର୍ଯ୍ୟଟନ ସ୍ଥଳକୁ ଯିବା ଉପରେ କଟକଣା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲୋକଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଦେଶବାସୀଙ୍କୁ ୧୦୯ କୋଟିରୁ ଅଧିକ ଭ୍ୟାକସିନର ଡୋଜ ଦିଆସରିଛି। କରୋନାରେ ସର୍ବାଧିକ ପ୍ରଭାବିତ ଥିବା ମହାରାଷ୍ଟ୍ରରେ ମଧ୍ୟ ଏହି ଅଭିଯୋଗ ଲଗାତାର ଚାଲିଛି। ଏହାରି ଭିତରେ ଔରଙ୍ଗାବାଦରେ ସ୍ଥାନୀୟ ପ୍ରଶାସନ ବଡ ଧରଣର ନିର୍ଦ୍ଦେଶ ଜାରି କରିଛି।

ଯେଉଁ ଲୋକ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ଡୋଜ୍ ନେଇନାହାନ୍ତି ସେମାନଙ୍କୁ ପେଟ୍ରୋଲ, ଗ୍ୟାସ ଓ ରାସନ୍ ମିଳିବ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭ୍ୟାକସିନ ନେବା ପାଇଁ ଉତ୍ସାହିତ କରିବା ବୋଲି କୁହାଯାଉଛି। ସେହିପରି ଭ୍ୟାକସିନ ନେଇନଥିବା ଲୋକଙ୍କୁ ଜିଲ୍ଲାର ପର୍ଯ୍ୟଟକ ସ୍ଥଳକୁ ବୁଲିବାକୁ ଦିଆଯିବନି। ଏହା ସହିତ ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟକୁ ଯାଉଥିଲେ କଟକଣା ଲଗାଯିବ। ଏଭଳି ରାଜ୍ୟରେ କରୋନା ଟିକାକରଣ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପକ୍ଷରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ୧୦୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପାଇବାକୁ ଦୃଷ୍ଟି ରଖାଯାଇଛି।

ସେହିପରି ଔରଙ୍ଗାବାଦରେ ଟିକା ନେଇଥିବା ଯୋଗ୍ୟ ଲୋକଙ୍କ ଭିତରୁ ୫୫ ପ୍ରତିଶତ ଲୋକ ଭ୍ୟାକସିନର ଗୋଟିଏ ଡୋଜ ନେଇଛନ୍ତି। ସେହିଭଳି ୨୩ ପ୍ରତିଶତ ଲୋକ ଭ୍ୟାକସିନର ଦୁଇଟି ଡୋଜ୍ ନେଇଛନ୍ତି। ପାର୍ବଣ ଋତୁରେ କରୋନା ଭାଇରସ ସଂକ୍ରମଣର ତୃତୀୟ ଲହରୀର ଆଶଙ୍କାକୁ ଦେଖି ଟିକାକରଣକୁ ଗତି ଦେବାର ନିଷ୍ପତ୍ତି ନିଆଯାଇଛି।