କୋଭିଡ ନିୟମ ଭିତରେ ଆରମ୍ଭ ହେଲା ମା ଦୁର୍ଗତିନାଶିନୀଙ୍କ ପୂଜା

ଝାରସୁଗୁଡା,ଏନ୍ଏନ୍ଏସ୍: କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାର ସରବହାଲ, ମଙ୍ଗଳବଜାର, ବେଲପାହାଡ ଫାଟକ, ଷ୍ଟେସନ, ବନ୍ଧବାହାଲ, ଗାନ୍ଧୀଛକ ଆଦି ବିଭିନ୍ନ ସ୍ଥାନରେ ପୂଜା କମିଟିଗୁଡିକ ଦ୍ୱାରା ନିରାଡମ୍ବର ଭାବେ ମା’ ଦୁର୍ଗତିନାଶିନୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ଏହି ମଧ୍ୟରେ ପ୍ରତ୍ୟେକ ମେଢ଼ ୪ ଫୁଟରୁ କମ ଉଚ୍ଚତା ବିଶିଷ୍ଟ ସ୍ଥାପନ କରାଯାଇଛି। ସେହିପରି ମଣ୍ଡପରେ ପୂଜକ, କର୍ତ୍ତା ଓ ଆୟୋଜକ ସମେତ ୭ ଜଣ ଲେଖାଏଁ ରହି ପୂଜାବିଧି ତୁଲାଉଛନ୍ତି। ସେହିପରି ମଣ୍ଡପ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବାରୁ ଚଳିତବର୍ଷ ପ୍ରଥମ ଥର ପାଇଁ ବିନା ଭକ୍ତରେ ମା’ଙ୍କର ପୂଜା ଆରମ୍ଭ ହୋଇଛି।

ଗୁରୁବାର ଷଷ୍ଠୀ ଦିନ ପୂଜା ପାଇଁ ବିଲ୍ୱବରଣ ଓ କଳସ ଯାତ୍ରା କରାଯାଇ ଶୁକ୍ରବାର ସକାଳେ ମାଙ୍କର ମହା ସପ୍ତମୀ ପୂଜାର୍ଚ୍ଚନା ହୋଇଛି। ସେହିପରି ଶନିବାର ଅଷ୍ଟମୀ, ରବିବାର ନବମୀ ପୂଜା କରାଯାଇ ସୋମବାର ଘଟ ବିସର୍ଜନ ଓ ମଙ୍ଗଳବାର ମା’ଙ୍କର ଭସାଣି କରାଯିବ। ସରବହାଲ ଓଁ ଶ୍ରୀ ଶ୍ରୀ ପୂଜା କମିଟିର କର୍ତ୍ତା ପିଣ୍ଟୁ ପାଢ଼ୀ କହିଛନ୍ତି ଯେ, ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଅତି ନିରାଡମ୍ବର ଭାବରେ ପୂଜାର୍ଚ୍ଚନା କରାଯାଉଛି। ରାବଣପୋଡି, ଭସାଣି ଉତ୍ସବ ଆଦିକୁ ବାଦ ଦିଆଯାଇଥିବାବେଳେ ଭକ୍ତଙ୍କୁ ମଣ୍ଡପ ଭିତରକୁ ପ୍ରବେଶ ପାଇଁ ମନା କରାଯାଉଛି। ସେହିପରି ବିଭିନ୍ନ ପୂଜା ମଣ୍ଡପ ଦ୍ୱାରା କରାଯାଉଥିବା ଆକେଷ୍ଟ୍ରା, ଯାତ୍ରା, ପାଲା, ମେଲୋଡି ପରି ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କରାଯାଇଛି।