୫ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଅଘଟଣ ଘଟିଛି। ରାତ୍ରି ପ୍ରାୟ ୨ଟା ସମୟରେ ଚେପ ଦେହୁରୀ ନାମକ ଜଣେ ବ୍ୟକ୍ତି ତାର ୫ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି। ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ ହୋଇଥିବା ବେଳେ ତାର ସ୍ତ୍ରୀ ଓ ପିଲାମାନେ ଶ୍ୱଶୂର ଘର ବେଲଡୁଙ୍ଗୁରିରେ ରହୁଥିଲେ। ଚେପ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ।

ଗତକାଲି ରାତିରେ ସେ ଶ୍ୱଶୂର ଘରେ ପହଞ୍ଚି ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା। ପରେ ଆଈ ପାଖରେ ଶୋଇଥିବା ନିଜର ୫ ବର୍ଷର ପୁଅ ସୁଦାନକୁ ଘୋଷାରି ଆଣି ନିର୍ଦୟ ଭାବେ ତଳେ ପଡିଥିବା ଏକ ପଥରରେ ଛେଚି ହତ୍ୟା କରିଥିଲେ। ପରେ ସୁଦନକୁ ଦୂରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀମାନେ ପହଞ୍ଚି ଚେପକୁ କାବୁ କରି ଗ୍ରାମରକ୍ଷୀକୁ ଖବର ଦେଇଥିଲେ। ଏହାପରେ ଗ୍ରାମରକ୍ଷୀଙ୍କ ଏତଲା ଆଧାରରେ ବଡ଼ସାହି ପୁଲିସ ଚେପ ଦେହୁରୀକୁ ଗିରଫ କରିବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି।