ନବରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଉପରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କରିବା ପ୍ରସ୍ତାବକୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପ୍ରସ୍ତାବିତ କରାଯାଇଛି । ଏହି ଅବସରରେ ପର୍ଯ୍ୟଟନ ସମ୍ପର୍କିତ ଏକ ଆଲୋଚନା ଚକ୍ର ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ଉଦଘାଟନ କରି ପ୍ରାରମ୍ଭିକ ଅଭିଭାଷଣରେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରି ପର୍ଯ୍ୟଟନ ଦିବସର ମହତ୍ତ୍ୱ ବୁଝାଇଥିଲେ । ପରେ ଇତିହାସ ବିଭାଗର ଅଧ୍ୟାପକ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ଓଡ଼ିଶାର ବିଭିନ୍ନ ମନ୍ଦିର ନିର୍ମାଣ ଶୈଳୀ ଏବଂ ଏହାର ପର୍ଯ୍ୟଟନ ବିଶେଷତ୍ୱକୁ ବୃତ୍ତଚିତ୍ର ମାଧ୍ୟମରେ ଉପସ୍ଥାପନା କରିଥିଲେ । ସେହିପରି ଇଂରାଜୀ ବିଭାଗର ଅଧ୍ୟାପିକା ସଂଯୁକ୍ତା ପାଙ୍ଗୀ ଓଡ଼ିଶାର ସୌନ୍ଦର୍ଯ୍ୟସ୍ଥଳୀ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ମନଲୋଭା ଚିତ୍ର ଉପସ୍ଥାପନା କରିବା ସହିତ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହା ପରେ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ନବରଙ୍ଗପୁର ଜିଲ୍ଲାର କେତେକ ଲୋକଲୋଚନକୁ ଆସି ନଥିବା ଟଙ୍ଗ, ହଳଦୀ, ମାଟା ଡଙ୍ଗିରୀ, ବରଗାଁ ଆଦି ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ମହତ୍ତ୍ୱ ବିଷୟରେ ଆଲୋଚନା କରି ଏହା କିପରି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିପାରିବ ସେନେଇ କାର୍ଯ୍ୟ ଆରମ୍ଭ କରିବାର ସୂଚନା ଦେବାସହ ଅନୁସନ୍ଧାନ ହୋଇନଥିବା ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ଉପରେ ଏକ ଜ୍ଜିଲାସ୍ତରୀୟ ଆଲୋଚନା ଚକ୍ର କରିବାକୁ ଅଧ୍ୟକ୍ଷ ମହୋଦୟଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ସଂଗୀତା ତ୍ରିପାଠୀ ଆଲୋଚନା ଚକ୍ରର ସାରାଂଶ ଉପସ୍ଥାପନା କରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି କହିଥିଲେ । ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଭାନୁମତୀ ସାହୁକାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଇତିହାସ ବିଭାଗର ଅଧ୍ୟାପିକା ମାନସୀ ମହାପାତ୍ର ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗ ଏବଂ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ୍ୱିନୋଦ ଚନ୍ଦ୍ର ନାୟକଙ୍କ ସହାୟତା ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।