ସାଇବର ଅପରାଧରୁ ବର୍ତ୍ତିବା ପାଇଁ ଅକ୍ଟୋବର ୨ତାରିଖରୁ ସାଇବର ସଚେତନତା ରଥ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁରରେ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାଇବର ନିରାପତ୍ତା କ୍ୟାମ୍ପେନ୍ ୨୦୨୩ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସୂଚନା ଦେବାସହ ଅକ୍ଟୋବର ୨ ତାରିଖରେ ସାଇବର ସଚେତନତା ରଥ ଜିଲ୍ଲାରେ ବୁଲିବ ବୋଲି କହିଛନ୍ତି । ସଚେତନ ହେବା ଦ୍ୱାରା ସାଇବର ଅପରାଧକୁ ରୋକାଯାଇ ପାରିବ । ଦେଶ ତଥା ରାଜ୍ୟରେ ସାଇବର ଠକେଇ ସମ୍ପର୍କିତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଠକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ୱେ ଦେଶର ସବୁ ସ୍ଥାନରେ ସାଇବର କ୍ରାଇମ ମାମଲା ବଢ଼ିବାରେ ଲାଗିଛି । ସଚେତନତା ଅଭାବ ଏହାର ଏକ ମୁଖ୍ୟ କାରଣ ହୋଇଥିବାରୁ ଏଦିଗରେ ସଚେତନତା ସୃଷ୍ଟି ପାଇଁ ପୁଲିସ ପକ୍ଷରୁ ସଚେତନତା କ୍ୟାମ୍ପେନ ଆରମ୍ଭ କରାଯିବ । ସତର୍କ ଓ ସଚେତନ ରହି ଡିଜିଟାଲ ଦୁନିଆରେ କିପରି ସୁରକ୍ଷିତ ରହିବେ ସେନେଇ ସଚେତନ କରିବା ଏହି କ୍ୟାମ୍ପେନର ମୁଖ୍ୟ ଲକ୍ଷ୍ୟ । ଆସନ୍ତା ୩୦ ତାରିଖରୁ ରାଜ୍ୟରେ ମୋଟ ୩୪ଟି ସାଇବର ସଚେତନତା ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ନବରଙ୍ଗପୁର ଜିଲ୍ଲାରେ ଅକ୍ଟୋବର ୨ରେ ଏହି ସଚେତନତା ରଥ ପ୍ରବେଶ କରି ଏହା ଜରିଆରେ ସାଇବର ଅପରାଧ ଓ ସେଥିରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଏହାସହ ବିଭିନ୍ନ ପ୍ରତିଯୋଗିତା ଓ କର୍ମଶାଳା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ସାଇବର ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ଜନ ସହଭାଗିତା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ କ୍ୟାମ୍ପେନର ଲୋଗୋ ଓ ମାସ୍କଟର ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହାର ଥିମ ସଂଗୀତ ମଧ୍ୟ ପ୍ରସାରିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଓ ଏସବିଆଇ ଚିଫ ମ୍ୟାନେଜର ରଜତ ପାତ୍ର ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡିଏସପି ଚନ୍ଦ୍ରଶେଖର ହୋତା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ ଓ ବହୁ ପୁଲିସ ଅଧିକାରୀ ଅଂଶଗ୍ରହଣ କରିଥିଲେ ।