ଭାରତର ଟିକାକରଣକୁ ପ୍ରଶଂସା କଲେ ବିଶ୍ବବ୍ୟାଙ୍କର ସଭାପତି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଦ୍ରୁତଗତିରେ କୋଭିଡ-୧୯ ଟିକାକରଣ ଜାରି ରହିଛି। ଏବେ ଦେଶରେ କରୋନା ଟିକାକରଣ ଏତେ ଦ୍ରୁତଗତିରେ ଚାଲିଛି ଯେ, ଅଳ୍ପ ଦିନ ମଧ୍ୟରେ ୧୦୦ କୋଟି ଲୋକଙ୍କୁ ଟିକା ମିଳିବ। ଭାରତର ଏହି ସଫଳତାପୂର୍ଣ୍ଣ ଅଭିଯାନରେ ବିଶ୍ବ ବ୍ୟାଙ୍କ ଖୁସି ଅନୁଭବ କରିଛି। ବିଶ୍ବବ୍ୟାଙ୍କର ସଭାପତି ଡେ‌ଭିଡ ମାଲପାସ ଭାରତର ଟିକାକରଣ ପ୍ରକ୍ରିୟାକୁ ନେଇ ବହୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ସାକ୍ଷାତକାର ସମୟରେ ଡେଭିଡ ମାଲପାସ କହିଛନ୍ତି ଯେ, କରୋନା ବିପକ୍ଷରେ ଭାରତ ଟିକାକରଣ ପାଇଁ ଭଲ ପଦକ୍ଷେପ ନେଇଛି। ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ଯୋଗଦାନ ପ୍ରଶଂସନୀୟ। ଏହା ବ୍ୟତୀତ ବିଶ୍ବ ବ୍ୟାଙ୍କ ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଭାବଶାଳୀ ଯୋଜନା ମାଧ୍ୟମରେ ଲକ୍ଷ୍ୟକୁ ସଠିକ ସମୟ ମଧ୍ୟରେ ହାସଲ କରିବାକୁ ହେବ।

ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ୯୭.୨୩ କୋଟି ଲୋକ କରୋନା ଟିକା ନେଇସାରିଛନ୍ତି। ଏଥିରୁ ୭୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୩୦ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି।