ଆଫଗାନିସ୍ତାନ ପ୍ରସଙ୍ଗରେ ବୈଠକ: ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ନଭେମ୍ବର ମାସରେ ଆଫଗାନିସ୍ତାନର ସ୍ଥିତି ଉପରେ ଦିଲ୍ଲୀରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାଦା (ଏନଏସ୍‌ଏ)ର ବୈଠକ ହେବ। ଭାରତ ଏହାର ଆୟୋଜନ କରିବ। ଏହି ବୈଠକରେ ଯୋଗଦେବା ପାଇଁ ଋଷିଆ ଓ ପାକିସ୍ତାନ ସମେତ ଅନ୍ୟ କିଛି ଦେଶକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ବୈଠକରେ ଅଧ୍ୟକ୍ଷତା କରିବେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଆଂଚଳିକ ସମ୍ମିଳନୀରେ ଚୀନ, ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନକୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏଥିରେ ଆଫଗାନିସ୍ତାନରେ ମାନବୀୟ ସଂକଟ ପ୍ରସଙ୍ଗରେ ଆଲୋଚନା ହେବ। ଏଥି ସହିତ ସୁରକ୍ଷା ସଂପର୍କିତ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ। ତାଲିବାନ ଠାରୁ ବିଶ୍ବକୁ ଯେମିତି ଆଶା ରହିଛି, ଏସଂପର୍କରେ ବୈଠକରେ ଅବଗତ କରାଯିବ।

ସୂତ୍ର ଅନୁସାରେ ଯେଉଁ ଦେଶକୁ ଏନଏସଏ ଆମନ୍ତ୍ରିତ କରିଛି, ସେହି ଦେଶଗୁଡ଼ିକୁ ଭାରତରୁ ନିମନ୍ତ୍ରଣ ମିଳିସାରିଛି। କିନ୍ତୁ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ତାଲିବାନକୁ ନିମନ୍ତ୍ରଣ ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଏହି ବୈଠକ ନଭେମ୍ବର ୨ୟ ସପ୍ତାହରେ ଆୟୋଜନ ହୋଇପାରେ। ଋଷିଆ ମଧ୍ୟ ଅକ୍ଟୋବର ୨୦ରେ ମସ୍କୋରେ ଏହି ପ୍ରକାର ବୈଠକର ଆୟୋଜନ କରିବାକୁ ଯାଉଛି।