କେରଳରେ ବନ୍ୟା-ଭୂସ୍ଖଳନରେ ୬ ମୃତ: ଏକାଧିକ ଜିଲ୍ଳାକୁ ରେଡ ଆଲର୍ଟ ଜାରି

ଥିରୁଅନନ୍ତପୁରମ,ଏଜେନ୍ସି: କେରଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ରାଜ୍ୟର ୬ଟି ଜିଲ୍ଲାକୁ ରେଡ ଆଲର୍ଟ କରିଛି। ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ହୋଇଥିବା ବେଳେ ଅନ୍ୟ ୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଇଡ୍ଡୁକୀର କୋଟ୍ଟାୟମ ଓ କୋକ୍କୟାରରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହା ବ୍ୟତୀତ ୧୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଗତକାଲି ସେ ଜରୁରୀକାଳୀନ ବୈଠକ ଡାକିଥିଲେ। ରାଜ୍ୟ ଅଧିକାରୀମାନେ ରାଜ୍ୟର ପାହାଡ଼ିଆ ଅଂଚଳରେ ଯାତାୟାତ ଉପରେ କଟକଣା ଲଗାଇଥିଲେ। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ପଠାନମଥିଟା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଡୁକ୍କୀ, ତ୍ରିଶୁର ଆଦି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରୁଛି। ଦକ୍ଷିଣ ଭାରତୀୟ ରାଜ୍ୟରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାରେ ମଧ୍ୟ ବର୍ଷା ହୋଇପାରେ।