ଡବଲିନ୍,ଏଜେନ୍ସି: ଆସନ୍ତା ୨୦୨୭ ପୁରୁଷ ରଗ୍ବୀ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଖେଳାଯିବ । ସେହିପରି ଅଷ୍ଟ୍ରେଲିଆକୁ ୨୦୨୯ ମହିଳା ରଗ୍ବୀ ବିଶ୍ୱକପ୍ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିବା ବେଳେ ଏହା ପୂର୍ବରୁ ୨୦୨୫ ସଂସ୍କରଣଟି ଇଂଲଣ୍ଡରେ ଅନୁଷ୍ଠିତ ହେବ ବୋଲି ଗୁରୁବାର ୱାର୍ଲ୍ଡ ରଗ୍ବୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୂଚନାନୁସାରେ, ଆମେରିକାରେ ୨୦୩୧ ପୁରୁଷ ରଗ୍ବୀ ବିଶ୍ୱକପ୍ ସହ ଦୁଇ ବର୍ଷ ବ୍ୟବଧାନ ପରେ ମହିଳା ରଗ୍ବୀ ବିଶ୍ୱକପ୍ ମଧ୍ୟ ଖେଳାଯିବ ।
ଆୟର୍ଲାଣ୍ଡ୍ ରାଜଧାନୀ ଡବଲିନ୍ଠାରେ ନିକଟରେ ଅନୁଷ୍ଠିତ ୱାର୍ଲ୍ଡ ରଗ୍ବୀ କାଉନ୍ସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତରେ ରଗ୍ବୀ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ହାମିଶ୍ ମ୍ୟାକ୍ଲେନାନ୍ କହିଛନ୍ତି ଯେ ଗୁରୁବାର ଅଷ୍ଟ୍ରେଲିଆ ରଗ୍ବୀ ପାଇଁ ଏକ ଐତିହାସିକ ଦିନ । ଦେଶରେ ଗୋଟିଏ ନୁହେଁ, ଦୁଇଟି ବିଶ୍ୱକପ୍ ଆୟୋଜନ ନିଷ୍ପତ୍ତିରେ ଆମେ ବେଶ୍ ଖୁସି । ଦୁଇ ଦୁଇଟି ବିଶ୍ୱକପ୍ ଆୟୋଜନ ଅଧିକାର ଗୋଟିଏ ପିଢ଼ିରେ ଥରଟିଏ ମିଳିଥାଏ । ରଗ୍ବୀ ଆମେରିକା ଏହି ସୁଯୋଗର ହାତଛଡ଼ା କରିବ ନାହିଁ ଓ ଆଗାମୀ ଦିନରେ ରଗ୍ବୀକୁ ଅଧିକ ଲୋକପ୍ରିୟ ଓ ସମୃଦ୍ଧ କରିବା ସକାଶେ ଯଥାସମ୍ଭବ ପଦକ୍ଷେପ ନେବ ବୋଲି ମ୍ୟାକ୍ଲେନାନ୍ କହିଛନ୍ତି ।
ଏଥିସହ ଅଷ୍ଟ୍ରେଲିଆ ତୃତୀୟ ଥର ପାଇଁ ପୁରୁଷ ରଗ୍ବୀ ବିଶ୍ୱକପ୍ ଆୟୋଜନ କରିବ । ପୂର୍ବରୁ ୧୯୮୭ରେ ଏହି ଦେଶ ମିଳିତ ଭାବେ ପଡ଼ୋଶୀ ନ୍ୟୁଜିଲାଣ୍ଡ୍ ସହ ବିଶ୍ୱକପ୍ ଆୟୋଜନ କରିଥିଲା । ଏହାପରେ ୨୦୦୩ରେ ମଧ୍ୟ ଏହି ଦେଶକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାର ସୁଯୋଗ ମିଳିଥିଲା । ସେହିପରି ପୂର୍ବରୁ ଇଂଲଣ୍ଡ ୨୦୧୦ରେ ମହିଳା ବିଶ୍ୱକପ୍ ଆୟୋଜନ କରିଥିବା ବେଳେ ଆମେରିକାକୁ ପ୍ରଥମ ଥର ପାଇଁ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାର ସୁଯୋଗ ମିଳିଛି ।