ଭୁବନେଶ୍ୱର,୧୨ା୫/ଏନ୍ଏନ୍ଏସ୍: ଓଡ଼ିଶାର ୫ ଜଣ ପୁରୁଷ ଭଲିବଲ୍ ଖେଳାଳି ଜାତୀୟ କ୍ୟାମ୍ପ୍ରେ ଭାଗ ନେବା ସକାଶେ ଡାକରା ପାଇଛନ୍ତି । ସେମାନେ ହେଲେ ରାହୁଲ୍ ବାରିକ, ମାନସ ରଞ୍ଜନ ପାଣି, ରାଜ କିଣ୍ଡୋ, ଆଦର୍ଶ ଗଡଡ଼ିଆ ଓ ମହମ୍ମଦ ରାଜା । ଏମାନଙ୍କ ମଧ୍ୟରୁ ଜଗତସିଂହପୁରର ରାହୁଲ୍ ଓ ଯାଜପୁରର ମାନସ ରଞ୍ଜନ ପାଣି ସିନିୟର୍ ଏବଂ ରାଉରକେଲାର ରାଜ, ବରଗଡ଼ର ଆଦର୍ଶ ଓ କିଟ୍ ବିଶ୍ୱବିଦ୍ୟାଳୟର ରାଜା ୨୦ ବର୍ଷରୁ କମ୍ ଭାରତୀୟ ଦଳ ଚୟନ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏଭିସି ପୁରୁଷ ଚାଲେଞ୍ଜ୍ କପ୍ ଭଲିବଲ୍ ଚାମ୍ପିଅନ୍ଶିପ୍ ଅନୁଷ୍ଠିତ ହେବ । ଏହି କ୍ୟାମ୍ପ୍ ସକାଶେ ରାହୁଲ୍ ଓ ମାନସ ସ୍ଥାନୀୟ କିଟ୍ ପରିସରରେ ଖେଳାଯାଇଥିବା ଜାତୀୟ ଭଲିବଲ୍ ଚାମ୍ପିଅନ୍ଶିପ୍ ଓ ୩୪ତମ ଫେଡେରେସନ୍ କପ୍ ଭଲିବଲ୍ ଚାମ୍ପିଅନ୍ଶିପ୍ରେ ଭଲ ପ୍ରଦର୍ଶନ ଆଧାରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ଓଡ଼ିଶା ବ୍ରୋଞ୍ଜ୍ ପଦକ ପାଇଥିଲା ।
ସେହିପରି ପଶ୍ଚିମବଙ୍ଗର ବର୍ଦ୍ଧମାନଠାରେ ଅନୁଷ୍ଠିତ ୪୭ତମ ଜୁନିୟର୍ ଜାତୀୟ ଭଲିବଲ୍ ଚାମ୍ପିଅନ୍ଶିପ୍ରେ ରାଜ, ଆଦର୍ଶ ଓ ରାଜା ଭଲ ପ୍ରଦର୍ଶନ କରିଥିଲେ । ଏହି ବର୍ଗର କ୍ୟାମ୍ପ୍ରୁ ଆସନ୍ତା ଅଗଷ୍ଟ ୨୨ରୁ ୨୯ ପର୍ଯ୍ୟନ୍ତ ବାହରିନ୍ର ରିଫାଠାରେ ଅନୁଷ୍ଠିତ ହେବାକୁ ଥିବା ୨୧ତମ ଏସିଆନ୍ ପୁରୁଷ ଭଲିବଲ୍ ଚାମ୍ପିଅନ୍ଶିପ୍ ପାଇଁ ଖେଳାଳି ଚୟନ କରାଯିବ ।
ପୂର୍ବରୁ ଭାରତୀୟ ଭଲିବଲ୍ ମହାସଂଘ (ଭିଏଫ୍ଆଇ) ପକ୍ଷରୁ ଓଡ଼ିଶା ଭଲିବଲ୍ ସଂଘ (ଓଭିଏ)କୁ କିଟ୍ ପରିସରରେ ଭାରତୀୟ ସିନିୟର୍ ପୁରୁଷ ଓ ମହିଳା, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳା ଏବଂ ୧୮ ବର୍ଷରୁ କମ୍ ମହିଳା ଭଲିବଲ୍ ଟିମ୍ ସକାଶେ କ୍ୟାମ୍ପ୍ ଆୟୋଜନ ଦାୟିତ୍ୱ ଦେଇସାରିଛି । ଏହି ବୟସ ବର୍ଗର କୋଚିଂ କ୍ୟାମ୍ପ୍ ସ୍ଥାନୀୟ କିଟ୍ ପରିସରସ୍ଥ ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇସାରିଛି । ଜାତୀୟ କ୍ୟାମ୍ପ୍ ସକାଶେ ମନୋନୀତ ହୋଇଥିବା ଏହି ୫ ଜଣ ଓଡ଼ିଆ ଖେଳାଳିଙ୍କୁ କିଟ୍-କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବଧେଇ ଜଣାଇଛନ୍ତି ।